ଆମ୍ବ ଶଡ଼ା ଦେଇଛି ରୋଜଗାର । ବୈପାରୀଗୁଡ଼ା ବ୍ଲକର ଦୋରାଗୁଡ଼ା ଗାଁର ମହିଳାଙ୍କ ଉଦ୍ୟମ । ଆମ୍ବ ତୋଳି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆମ୍ବ ଶଡା

128

କନକ ବ୍ୟୁରୋ: ଆମ୍ବ ଅଛି ବଜାର ନାହିଁ । କରୋନା କାଳରେ ସବୁକିଛି ବନ୍ଦ ରହିଥିବା ବେଳେ ଆମ୍ବର ରସରୁ ପ୍ରସ୍ତୁତ ହେଉଥିବା ଆମ୍ବ ସଢ଼ା ଏବେ ଆଦିବାସୀଙ୍କୁ ଯୋଗାଉଛି ରୋଜଗାରର ବାଟ । କୋରାପୁଟ ଜିଲ୍ଲାରେ ପ୍ରଚୁର ପରିମାଣରେ ଆମ୍ବ ଚାଷ ହୋଇଥାଏ । ଏହା କେବଳ ଚାଷୀ ନୁହେଁ, ଏହା ସମ୍ପର୍କିତ ଆହୁରି ଅନେକଙ୍କୁ ରୋଜଗାର ଯୋଗାଇଥାଏ ।

ଆମ୍ବକୁ ଭିତି କରି ବେପାର ହେବା ସହ ଦି’ ପଇସା ରୋଜଗାର କରୁଥିଲେ ଚାଷୀ ଓ ବ୍ୟବସାୟୀ । ହେଲେ କରୋନା ସ୍ଥିତି ସବୁ ବିଗାଡ଼ି ଦେଇଛି । ନା ଠିକରେ ଆମ୍ବ ବଜାରକୁ ଆସିପାରୁଛି ନା ବ୍ୟବସାୟ ହୋଇପାରୁଛି । ଗୋଟିଏ ପ୍ରକାର ଜୀବିକା ବନ୍ଦ ରହିଥିବା ବେଳେ ବୈପାରୀଗୁଡ଼ା ବ୍ଲକର ଦୋରାଗୁଡ଼ା ଗାଁର ମହିଳାମାନେ ଆମ୍ବ ରସରୁ ଏବେ ଆମ୍ବ ସଡ଼ା ପ୍ରସ୍ତୁତ କରି ରୋଜଗାରର ପଂଥା ବାଛିଛନ୍ତି ।

କୋରାପୁଟିଆ ଆମ୍ବର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି । ଏଠାକାର ଦଶେରି, ଆମ୍ରପଲ୍ଲୀ, ଆଖୁରସ, ଲାଲ ସୁନ୍ଦରି ପରି ଆମ୍ବକୁ ବିଭିନ୍ନ ଜାଗାକୁ ପଠାଯାଇଥାଏ । ହେଲେ କୋଭିଡ ସ୍ଥିତି ବେଳେ ଲକଡାଉନ ଓ ସଟଡାଉନ ଯୋଗୁଁ ଆମ୍ବ ବେପାର ଖୁବ୍ ପ୍ରଭାବିତ ହୋଇଛି । ଆମ୍ବ ପଚିଯାଉଛି, ବଗିଚାରୁ ଆମ୍ବ ତୋଳି ହେଉ ନାହିଁ । ଏପରିକି ଚାଷୀ ୧୦ରୁ ୧୫ ଟଙ୍କାରେ ବିକିବାକୁ ରାଜି ହେଉଥିବା ବେଳେ ଗ୍ରାହକଙ୍କ ଅଭାବ ଦେଖାଦେଇଛି । ଏପରି ସ୍ଥିତିରେ ଗାଁର କିଛି ମହିଳା ଏକାଠି ହୋଇ ଆମ୍ବ ଗୋଟାଇ ସେଥିରୁ ଆମ୍ବ ସଡ଼ା ପ୍ରସ୍ତୁତ କରୁଛନ୍ତି । ଆଉ ଏହି ଆମ୍ବସଡ଼ାକୁ କେଜି ପିଛା ୪୦ରୁ ୫୦ ଟଙ୍କାରେ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକୁଛନ୍ତି ।