ଜାତୀୟ ରାଜପଥ କଡରେ ଚାଲିଛି ଏସିଆ ମହାଦେଶର ସର୍ବବୃହତ ଶୁଖୁଆ ହାଟ । ହୁମା ହାଟରେ ବ୍ୟବସାୟୀଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା

97

କନକ ବ୍ୟୁରୋ : ଜାତୀୟ ରାଜପଥ କଡରେ ଚାଲିଛି ଶୁଖୁଆ ହାଟ । ଭଳିକି ଭଳି ଶୁଖୁଆ ପସରା ମେଲାଇ ବସିଛନ୍ତି ବ୍ୟବସାୟୀ । ଗଂଜାମ ଜିଲ୍ଲା ହୁମା ଶୁଖୁଆ ହାଟର ଦୃଶ୍ୟ । ଶାବଳା, ପଥରମୁଣ୍ଡି, ଖଇଙ୍ଗା, କାରାଚାନ୍ଦି, କୋକଲି, ଚିଙ୍ଗୁଡି ଏମିତି ପ୍ରାୟ ୪୦ ପ୍ରକାର ଶୁଖୁଆ ମିଳୁଥିବା ହାଟ ରାସ୍ତାକଡରେ ଚାଲିଛି । ସେପଟେ ଶୁଖୁଆ ବ୍ୟବସାୟୀଙ୍କ ପାଇଁ ସମସ୍ତ ସୁବିଧା ଥାଇ ବି କାମରେ ଲାଗୁନାହିଁ । ଆଧୁନିକ ଶୁଖୁଆ ହାଟ ପାଇଁ ୨୦୧୮ରୁ ୨ଟି କୋଠା ନିର୍ମାଣ କରାଯାଇଛି । ଗୋଟିଏରେ ବ୍ୟବସାୟ କରିବା ସହ ଅନ୍ୟଟିରେ ବ୍ୟବସାୟୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ହେଲେ ଘର ଭିତରେ ଭଲ ବ୍ୟବସାୟ ନହବେରୁ ବ୍ୟବସାୟୀ ରାଜପଥ କଡ଼ରେ ବସୁଛନ୍ତି । ସେପଟେ କୋଠା ୨ଟି ଅବ୍ୟବହୃତ ହୋଇ ପଡିରହିଛି ।

ହୁମା ଶୁଖୁଆ ହାଟକୁ ବମ୍ବେ, କୋଲକାତା, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ ସହ ଓଡିଶାର ବିଭିନ୍ନ ସ୍ଥାନରୁ ଶୁଖୁଆ ଆସିଥାଏ । ଏଠାରୁ ବିଭିନ୍ନ ଗାଁ ଓ ସହରକୁ ଯାଇଥାଏ । ହେଲେ ରାସ୍ତାକଡରେ ଖୋଲାମେଲାରେ ହାଟ ବସୁଥିବାରୁ ଅନେକ ସମୟରେ ଅସୁବିଧା ହେଉଛି । ବ୍ୟବସାୟୀଙ୍କ ପାଇଁ ଶୌଚାଳୟ ନାହିଁ କି ଆଲୋକ ବ୍ୟବସ୍ଥା ନାହିଁ । ବର୍ଷା ହେଲେ ଲକ୍ଷଲକ୍ଷ ଟଙ୍କାର ଶୁଖୁଆ ଓଦା ହୋଇଯାଉଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି । ତେଣୁ ସଂପୃକ୍ତ କୋଠାରେ ଆନୁସଙ୍ଗିକ ବ୍ୟବସ୍ଥା କରି କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟବସାୟୀ ଦାବି କରିଛନ୍ତି ।

ସେପଟେ ଶୁଖୁଆ ବ୍ୟବସାୟୀଙ୍କ ସମସ୍ୟାର ସମାଧାନ ପାଇଁ ହାଟକୁ ଲାଗି ରହିଛି ସହକାରୀ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ । କିନ୍ତୁ ସେଠାକୁ ଦିନଟିଏ ମଧ୍ୟ କେହି ଅଧିକାରୀ ଆସିନଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି ।