ହଜିଗଲା ମଣିଷପଣିଆ, ମରିଗଲା ମାନବିକତା ! ନୃଶଂସ ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ମା’ର ପ୍ରାଣ ।

278

କନକ ବ୍ୟୁରୋ : ଜଣେ ନୃଶଂସ ପୁଅର ଟାଙ୍ଗିଆ ଚୋଟରେ ମାଆର ପ୍ରାଣହାନି ଘଟିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ଥାନାର କଖଡ଼ି ଗାମର ବିଧବା ମାଆ ସାବି ପ୍ରଧାନ(୫୫)ଙ୍କୁ ତାଙ୍କର ନିଜ ପୁଅ ପ୍ରକାଶ ପ୍ରଧାନ(୨୫) ଟାଙ୍ଗିଆରେ ହାଣି ହତ୍ୟା କରିଛି  ।

ଗତକାଲି ସାବି ପ୍ରଧାନଙ୍କ ପୁତୁରାର ବାହାଘର ଥିଲା । ବାହାଘର ଭୋଜି ଖାଇ ସାରି ମାଆ ଘରେ ଥିବା ବେଳେ ପୁଅ ପ୍ରକାଶ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲା । ଏହାପରେ ଉଭୟ ମାଆ-ପୁଅଙ୍କ ଭିତରେ ବଚସା ହୋଇଥିଲା । ଏହା ପରେ ମଦ୍ୟପ ପୁଅ ପ୍ରକାଶ ରାଗିଯାଇ ମାଆର ମୁଣ୍ଡକୁ ଟାଙ୍ଗିଆରେ ଚୋଟ ପକାଇଥିଲା । ଏହା ଫଳରେ ଘଟଣାସ୍ଥଳରେ ସାବି ପ୍ରଧାନ(୫୫)ଙ୍କର ପ୍ରାଣହାନି ଘଟିଥିଲା ।

ଏହାପରେ ହତ୍ୟାକାରୀ ପୁଅ ଫେରାର ହୋଇଯାଇଥିଲା । ଆଜି ସକାଳେ ସାବି ପ୍ରଧାନଙ୍କ ଶବକୁ ଆଠଗଡ଼ ଡ଼ାକ୍ତରଖାନାକୁ ଅଣାଯାଇଥିଲା । ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ପୋଲିସ ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀ ପୁଅକୁ ଖୋଜିବାକୁ ପ୍ରୟାସ ଜାରି କରିଛି । ପ୍ରକାଶ ବିବାହିତ ଏବଂ ତାର ଏକ ଝିଅ ଥିବା ଜଣାଯାଇଛି ।