ସହରରେ ବୁଲୁଛି ମଦୁଆ ଧରା ଗାଡ଼ି: ପାର୍ବଣ ସମୟରେ ମଦୁଆ ଓ ଜୁଆଡିଙ୍କୁ ସାବାଡ କରିବାକୁ ଅଭିନବ ଉଦ୍ୟମ

281

କନକ ବ୍ୟୁରୋ: ସହରରେ ବୁଲୁଛି ମଦୁଆ ଧରା ଗାଡି । ଯେଉଁମାନେ ମଦ ପିଇ ବାହାରେ ବୁଲୁଛନ୍ତି ସେମାନଙ୍କୁ ଉଠାଇ ନେଇ ଗାଡିରେ ପୁରାଇ ଦେଉଛି ପୋଲିସ । ଦୁଇ ଦିନରେ ମଦ ପିଇ ବୁଲୁଥିବା ଏଭଳି ୫୦ ଜଣଙ୍କୁ ଉଠାଇ ନେଲାଣି ପୋଲିସ । ପାର୍ବଣରେ ମଦୁଆଙ୍କୁ ସାବାଡ୍ କରିବା ପାଇଁ ବ୍ରହ୍ନପୁର ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ଅଭିନବ ପନ୍ଥା ।

ଏହି ଗାଡିରେ ଓଡ଼ିଆରେ ବଡ ବଡ ଅକ୍ଷରରେ ଲେଖାଯାଇଛି ‘ମଦୁଆ ଧରା ଗାଡି’ । ପ୍ରତିଦିନ ସନ୍ଧ୍ୟା ହେଲେ ଏ ଗାଡି ବ୍ରହ୍ମପୁର ସହରରେ ବୁଲୁଛି । ଯେଉଁମାନେ ରାସ୍ତାକଡ଼ରେ ମଦ୍ୟପାନ କରୁଛନ୍ତି ଅବା ମଦ ପିଇ ଗାଡି ଚଳାଉଛନ୍ତି ସେମାନଙ୍କୁ ଉଠାଇ ନେଉଛି ପୋଲିସ । ଗାଡିରେ ଜଣେ ଚାଳକଙ୍କ ସହ ଦୁଇ ଜଣ କନଷ୍ଟେବଳ ରହୁଛନ୍ତି । ମଦୁଆମାନଙ୍କୁ ଧରି ଗାଡି ଭିତରେ ପୁରାଇ ବାହାରା ତାଲା ପକାଇ, ଜଗି ରହୁଛନ୍ତି ଦୁଇ କନଷ୍ଟେବଳ ।

ପୂଜା ପାର୍ବଣ ସମୟରେ ଗଞ୍ଜାମ ଜିଲ୍ଲାରେ ମାତ୍ରାଧ୍ଖଳ ମଦ୍ୟପାନ ସହ ଜୁଆ ଆଡ୍ଡାର ଆସର ଜମେ । ଏହାକୁ ନଜରରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ମଦୁଆ ଧରା ଗାଡି ଅଭିଯାନ ଆରମ୍ଭ ହୋଇଛି । କେବଳ ମଦୁଆ ନୁହେଁ ଜୁଆଡିଙ୍କୁ ମଧ୍ୟ ଏହି ଗାଡି ଉଠାଇ ନେଉଛି । ୨ ଦିନରେ ପୋଲିସ ୫୦ ମଦୁଆଙ୍କୁ ଠାରୁ ଜୋରିମାନା ଆଦାୟ କରିବା ସହ ୧୭ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ।

ବ୍ରହ୍ନପୁର ପୋଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ପାର୍ବଣ ସମୟରେ ମଦ ଦୋକାନଗୁଡ଼ିକ ସଂଧ୍ୟାରେ ବନ୍ଦ ରଖିବା ଦରକାର ବୋଲି ଲୋକେ ମତ ଦେଇଛନ୍ତି ।