ନିଶାସକ୍ତ ଅବସ୍ଥାରେ ଫାଟକ ଖୋଲିଦେଲେ ରେଳୱେ କର୍ମଚାରୀ ! ଲେବଲକ୍ରସିଂ ପାର କଲାବେଳେ ମାଡି ଆସିଲା ଲୌହ ଦାନବ, ଆଉ ତା ପରେ…

39

କନକ ବ୍ୟୁରୋ : ରେଳ ଫାଟକ କର୍ମଚାରୀଙ୍କ ଭୁଲ ପାଇଁ ଚାଲି ଯାଇଥାନ୍ତା ଶହ ଶହ ଲୋକଙ୍କ ଜୀବନ । ଆଉ ଏହା ସହ ଅଳ୍ପକେ ଏକ ବଡ ରେଳ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ସାଧାରଣ ଲୋକେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ କପିଳାସ ରୋଡ଼ ଷ୍ଟେସନର ୧୭୩ ନଂ ଫାଟକରେ ଏକ ବଡ଼ଧରଣର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଜନ ସାଧାରଣ । ଗତ କାଲି ବିଳମ୍ବିତ ରାତ୍ରିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରେଳ ଫାଟକର କର୍ମଚାରୀ ଟ୍ରେନ ଆସିବା ସମୟରେ ଗେଟକୁ ପକାଇଦେଇ ନିଶାସକ୍ତ ଅବସ୍ଥାରେ ଥିଲେ । ଟ୍ରେନ ଯିବାପରେ ଫାଟକକୁ ଉଠାଇ ନଥିଲେ । ସାଧାରଣ ଲୋକମାନେ କାହିଁକି ଫାଟକ ଉଠୁନିବୋଲି କର୍ମଚାରୀଙ୍କ ପାଖକୁ ଯାଇଥିଲେ । ତେବେ ସେଠାରେ ରେଳ ଫାଟକ କର୍ମଚାରୀ ଜଣକ ନିସାଶକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଲୋକମାନେ ଉକ୍ତ କର୍ମଚାରୀଙ୍କୁ କହିବା ପରେ ବହୁତ କଷ୍ଟରେ ସେ ଫାଟକ ଉଠାଇଥିଲେ ।

ତେବେ ତାଙ୍କର ଫାଟକ ଖୋଲିବା ସହ ମାଡି ଆସିଥିଲା ବଡ ବିପଦ । ଫାଟକ ଦେଇ ଲୋକମାନେ ଲେବଲକ୍ରସିଂ ପାର ହେଉଥିବା ବେଳେ ହଠାତ୍ ଟ୍ରାକରେ ମାଡି ଆସିଥିଲା ଲୌହ ଦାନବ । ଟ୍ରେନ ପାଖକୁ ମାଡି ଆସୁଥିବାର ଦେଖି ଲୋକମାନେ ମଧ୍ୟ ଜୀବନ ବଞ୍ଚାଇ ଏଣେତେଣେ ଦୌଡି ପଳାଇଥିଲେ । ତେବେ ନିଶାସକ୍ତ ରେଲୱେ କର୍ମଚାରୀଙ୍କ ଏଭଳି ଭୁଲ ପାଇଁ କିଛି ସମୟ ପାଇଁ ଜୀବନ ସହ ସଂଘର୍ଷ କରିଥିଲେ ସାଧାରଣ ଲୋକେ । ଏହି ଘଟଣା ପରେ ଉକ୍ତ ରେଳୱେ କର୍ମଚାରୀଙ୍କୁ ତୁରନ୍ତ ବିଦା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।