ମୋବାଇଲ ଟାୱାର ଉପରେ ଚଢି ମଦ୍ୟପ ଯୁବକ କଲେ ହାଇଭୋଲଟେଜ ଡ୍ରାମା । କହିଲେ,ମୋଦିଙ୍କୁ ଡାକନ୍ତୁ ନହେଲେ ତଳକୁ ଡେଇଁବି ।

566

ଉତ୍ତରାଖଣ୍ଡର ଜୋନପୁରରେ ଶୁକ୍ରବାର ଜଣେ ମଦ୍ୟପ ବ୍ୟକ୍ତିଙ୍କ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଲାଇନ ବଜାର ଅନ୍ତର୍ଗତ ଅଞ୍ଚଳରେ ଜଣେ ମଦ୍ୟପ ମୋବାଇଲ ଟାୱାର ଉପରେ ଚଢିବା ସହ ହାଇଭୋଲଟେଜ ଡ୍ରାମା ଆରମ୍ଭ କରିଥିଲା । ଯାହା କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇ ଦେଇଥିଲା । ମୋବାଇଲ ଟାୱାର ଉପରୁ ମଦ୍ୟପ ଜଣକ,ମୋଦିଙ୍କୁ ଡାକନ୍ତୁ, ମୋଦିଙ୍କୁ ଡାକନ୍ତୁ ବୋଲି ଜୋରରେ ଚିଲାଇଥିଲେ । ଏପରିକି ମୋଦି ନ ଆସିଲେ ଟାୱାର ଉପରୁ ତଳକୁ ଡେଇଁ ପଡିବାକୁ ଧମକ ମଧ୍ୟ ଦେଉଥିଲେ ।

ଏହି ଘଟଣା ଜଣା ପଡିବା ପରେ ସେଠାରେ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ପୋଲିସ ଓ ଫାୟାର ବ୍ରିଗେଡ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ମଦ୍ୟପ ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ନାକେଦମ ହେବାକୁ ପଡିଥିଲା । ସୂଚନା ଅନୁଯାୟୀ, ମଦ୍ୟପ ଯୁବକ ରାଜଭର ବସ୍ତିରେ ପେଶାରେ ଜଣେ ଇ-ରିକ୍ସା ଚାଳକ । ତେବେ ଶୁକ୍ରବାର ମଦ ନିଶାରେ ମୋବାଇଲ ଟାୱାରକୁ ଚଢିବା ସହ ହାଇଭୋଲଟେଜ ଡ୍ରାମା ଆରମ୍ଭ କରିଥିଲେ ରାଜଭର ।

ମୋବାଇଲ ଟାୱାର ଉପରେ ଛିଡା ହୋଇ ମୋଦିଙ୍କୁ ଡାକନ୍ତୁ ବୋଲି ଚିଲାଇଥିଲେ ରାଜଭର । ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ମୋବାଇଲ ଟାୱାରରୁ ଓହ୍ଲାଇବାକୁ ରାଜଭରଙ୍କୁ କହିଥିଲେ । କିନ୍ତୁ ମଦ ନିଶାରେ ଚୁର ଥିବା ରାଜଭର ମୋଦି ନ ଆସିଲେ ମୋବାଇଲ ଟାୱାରରୁ ଓହ୍ଲାଇବେ ନାହିଁ ବୋଲି କହିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ଓ ଫାୟାର ବ୍ରିଗେଡ ଟିମ୍ ପହଞ୍ଚିବା ପରେ ରାଜଭରଙ୍କୁ ତଳକୁ ଓହ୍ଳାଇବା ପାଇଁ ଆରମ୍ଭ ହୋଇଥିଲା ଅପରେସନ । କିନ୍ତୁ ରାଜଭରଙ୍କୁ ତଳକୁ ଓହ୍ଳାଇବାକୁ ଅଧିକାରୀଙ୍କୁ ନାକେଦମ ହେବାକୁ ପଡିଥିଲା । ପରେ ରାଜଭରଙ୍କ ପରିବାରବର୍ଗଙ୍କୁ ଘଟଣାସ୍ଥଳକୁ ଡକାଯାଇ ତାଙ୍କୁ ଓହ୍ଲାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଥିରେ ମଧ୍ୟ ବିଫଳ ହୋଇଥିଲେ ଅଧିକାରୀ । ତେବେ ବହୁ ଚେଷ୍ଟା ପରେ ରାଜଭରଙ୍କୁ ତଳକୁ ଓହ୍ଲାଇଥିଲେ ଫାୟାର ବ୍ରିଗେଡ କର୍ମଚାରୀ ।