କନକ ବ୍ୟୁରୋ: ମଦ୍ୟପ ପୁଅର ଉନ୍ମତ କାଣ୍ଡ । ଭତ୍ତା ଟଙ୍କା ନଦେବାକୁ ମାଆକୁ ହତ୍ୟା କରି କୁଅରେ ପୋତି ଦେଲା ନୃଶଂସ ପୁଅ । ଏହି ଅମାନୁଷିକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଘୋଷର ଗାଁରେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ମୃତକ ହେଉଛନ୍ତି ଘୋଷର ଗାଁର ମୁଗମାଳ ସାହିର ୭୦ ବର୍ଷିୟ ବୃଦ୍ଧା ପଙ୍କଜିନୀ ପ୍ରଧାନ ।
ଅଭିଯୋଗ ଅନୁସାରେ. ପଙ୍କଜିନୀଙ୍କୁ ତାଙ୍କ ପୁଅ ବନୀ ପ୍ରଧାନ ମଦ ପିଇବାକୁ ଭତ୍ତା ଟଙ୍କା ମାଗିଥିଲା । ମା’ ଦେବାକୁ ମନା କରିବାରୁ ଅବନୀ ପ୍ରଧାନ ଠେଙ୍ଗାରେ ପିଟି ପିଟି ମାଆକୁ ହତ୍ୟା କରିବା ସହ ଘର ବାରିପଟେ ଥିବା ଭଙ୍ଗା କୁଅରେ ମୃତଦେହକୁ ପକାଇ ପୋତି ଦେଇଥିଲା । କୌଣସି ସୂତ୍ରରୁ ଖବର ପାଇ କିଶୋରନଗର ଥାନାରେ ପଙ୍କଜିନୀଙ୍କ ଭାଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ହତ୍ୟା ଅଭିଯୁକ୍ତ ଅବନୀକୁ ଗିରଫ କରିଛି । ଅଭିଯୁକ୍ତକୁ ପଚରା ଉଚରା କରି ପୋଲିସ ଭଙ୍ଗାକୁଅର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।