ନିଶାସକ୍ତ ଯୁବକକୁ ପିଟି ପିଟି ମାରିଦେଲେ ସୁରକ୍ଷାକର୍ମୀ : ନୀରିବଦ୍ରଷ୍ଟା ସାଜିଲେ ସିଆଇଏସଏଫ ଯବାନ; ମାଡ ମାରୁଥିବା ଭିଡିଓ ଭାଇରାଲ

274

କନକ ବ୍ୟୁରୋ : ରାଉରକେଲା ଷ୍ଟିଲ୍ ପ୍ଲାଂଟ ପରିସରରେ ଜଣେ ନିଶାସକ୍ତ ଯୁବକଙ୍କୁ ସୁରକ୍ଷାକର୍ମୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଅପମୃତ୍ୟୁ ମାମଲା ରୁଜୁ କରି ଟାଙ୍ଗରପାଲ୍ଲୀ ପୁଲିସ ତଦନ୍ତ କରୁଥିବା ବେଳେ ଏବେ ସାମନାକୁ ଆସିଛି ଏକ ଭାଇରାଲ ଭିଡିଓ । ଏହି ଭିଡିଓରେ ଯୁବକଙ୍କୁ ନିର୍ଦ୍ଦୟ ଭାବେ ମାଡ ମରାଯାଉଥିବା ଚିତ୍ର କଏଦ ହୋଇଛି । ତଦନ୍ତକାରୀ ପୁଲିସ, କାରଖାନା ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ୍ ଓ ଘରୋଇ କଂପାନୀ ଏଲ୍ଆଣ୍ଡଟିର ସୁରକ୍ଷାକର୍ମୀଙ୍କୁ ଏହା କାଠଗଡ଼ାରେ ଛିଡ଼ା କରାଇ ଦେଇଛି । ଭିଡିଓଟି ଭାଇରାଲ ହେବା ପରେ ପୂରା ଘଟଣା ପଦାକୁ ଆସିଛି ।

ଏପଟେ ଏହାକୁ ଅପମୃତ୍ୟୁ ଆଖ୍ୟା ଦେଇ ମାମଲାକୁ ଦଫାରଫା କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ସହର ଉପକଂଠ ଦେଓଗାଁ, ଦେହୁରୀ ବସ୍ତିରେ ରହୁଥିବା ସଚିନ୍ ଗୋପ ନାମକ ଜଣେ ୨୪ବର୍ଷୀୟ ଯୁବକଙ୍କୁ ଗୁରୁବାର ସଂଧ୍ୟାରେ କାରଖାନା ବାହାରେ ସଂଜ୍ଞହୀନ ଭାବେ ପଡିଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସଚିନ ନିଶାସକ୍ତ ଅବସ୍ଥାରେ କାରଖାନା ପରିସରକୁ ପଶିଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀ ଧରି ନିସ୍ତୁକ ଭାବେ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ସଚିନଙ୍କ ସଂପର୍କୀୟ । କାରଖାନା ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ୍ ଯବାନଙ୍କ ଉପସ୍ଥିତିରେ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ଭାଇରାଲ ଭିଡିଓରେ ମଧ୍ୟ ଯୁବକଙ୍କୁ ମାଡ ମରାଯାଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ପୁଲିସ କିମ୍ବା କାରଖାନା କର୍ତୃପକ୍ଷଙ୍କ ଠାରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରିନାହିଁ । କାହିଁକି ଯୁବକ ଜଣକ ଆସିଥିଲେ, ଆଉ କେଉଁ କାରଣ ପାଇଁ ତାକୁ ଏପରି ମାଡ ମରାଯାଉଛି, ତାହା ଏବେ ବି ସ୍ପଷ୍ଟ ହୋଇ ପାରିନାହିଁ । ତେବେ ଏହି ଘଟଣା, ସ୍ଥାନୀୟ ଅଂଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି ।