କନକ ବ୍ୟୁରୋ : ରାଜଧାନୀର ପଳାଶୁଣି ଛକରେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ବେଳେ ଅଭିଯୁକ୍ତ ଚାଳକ ଜଣକ ମଦ୍ୟପାନ କରିଥିବା ସ୍ୱୀକାର କରିଛନ୍ତି । କିନ୍ତୁ ପୋଲିସ୍ କହୁଛି, ସାମ୍ନାରେ ଥିବା ବଡ଼ ଗାଡ଼ିକୁ ଦେଖି ଚଳାଉଥିବାରୁ ଛୋଟ ଗାଡ଼ିକୁ ଦେଖିପାରିଲେନି ଡ୍ରାଇଭର, ଆଉ ଦୁର୍ଘଟଣା ଘଟିଗଲା । ତେଣୁ ପ୍ରଶ୍ନ ଉଠୁଛି, ହାଇୱା ଡ୍ରାଇଭରଙ୍କୁ ବଞ୍ଚାଇବାକୁ ଏମିତି ବୟାନ ଦେଉ ନାହିଁ ତ ପୋଲିସ୍ ?
ସାମ୍ନାକୁ ଆସିଲା ଦୁର୍ଘଟଣା ପଛର କାରଣ । ମଦ ପିଇଥିଲେ ଡ୍ରାଇଭର ! ସୋମବାର ଭୁବନେଶ୍ୱର ପଳାଶୁଣି ଛକରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ସୌଭାଗ୍ୟ ରଞ୍ଜନ ପାତ୍ରକୁ ଗିରଫ କରି ଆଣିବାବେଳେ ସେ କହିଛନ୍ତି, ସେଦିନ ଗାଡି ଚଳାଇବାବେଳେ ମଦ ପିଇଥିଲେ । ମଦ ନିଶାରେ ଥିବାରୁ ସେ ଚଳାଉଥିବା ଟ୍ରକକୁ ନିୟନ୍ତ୍ରଣ କରିପାରିନଥିଲେ । କାରଣ ପ୍ରଥମେ ସେ ଏକ ହ୍ୟୁଣ୍ଡାଇ କାରକୁ ଧକା ଦେଇଥିଲେ, ଏହା ପରେ ନୀଳ ରଙ୍ଗର ଅଲଟୋ କାରକୁ ଧକା ଦେଇଥିଲେ । ପ୍ରଥମେ ହ୍ୟୁଣ୍ଡାଇ କାରକୁ ଧକା ଦେବା ପରେ ବି ଡ୍ରାଇଭର ଜଣଙ୍କ ସଚେତନ ହୋଇପାରିଲେ ନାହିଁ, ପୁଣି ନୀଳ ରଙ୍ଗର ଅଲଟୋ କାରକୁ ଧକ୍କା ଦେଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କମିଶନରେଟ୍ ପୋଲିସ୍ ଏହି ଦିଗକୁ ଗୁରୁତ୍ୱ ଦେଲାଭଳି ମନେ ହେଉନାହିଁ ।
କିନ୍ତୁ ଏସମ୍ପର୍କରେ ଆମେ ଯେତେବେଳେ ମଞ୍ଚେଶ୍ୱର ଥାନା ସହ କଥା ହୋଇଥିଲୁ ସେମାନେ କହିଥିଲେ, ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଛି ବୋଲି ଡ୍ରାଇଭର କହିଛି । ଲାଗୁଥିଲା ପୁଲିସ ଏହାକୁ ହାଲୁକା ଭାବେ ନେଉଛି ।
ଟ୍ରକକୁ ଦେଖି ଗାଡି ଚଳାଉଥିଲେ ଡ୍ରାଇଭର । ‘କାରକୁ ଦେଖିପାରିନଥିଲେ ଗାଡି ଚାଳକ’ । ମାମଲାର ତଦନ୍ତ କରୁଥିବା ପୁଲିସ ଏମିତି ହାଲୁକା ଭାବେ ମନ୍ତବ୍ୟ ଦେଇଛି । ଯାହାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଡ୍ରାଇଭର ଜଣଙ୍କ କିଭଳି ଏତେ ବଡ କାରଟିକୁ ଦେଖିପାରିଲେନି ତାହା ଆଶ୍ଚର୍ଯ୍ୟ କରିଛି । ସନ୍ଦେହ ସୃଷ୍ଟି ହେଉଛି ଯେ ମଞ୍ଚେଶ୍ୱର ପୋଲିସ୍ ସେ ଟ୍ରକ୍ ଡ୍ରାଇଭର ଓ ମାଲିକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି କି ? କାରଣ ମଦ ପିଇବା କାରଣରୁ ଦୁର୍ଘଟଣା ଘଟାଇବା କଥା ପ୍ରମାଣିତ ହେଲେ ସେ ଟ୍ରକ୍ ଜବତ ହେବ । କିନ୍ତୁ ସାଧାରଣ ଦୁର୍ଘଟଣା ଦର୍ଶାଇଲେ ସହଜରେ ଟ୍ରକ୍ ବି ବାହାରିଯିବ, ଡ୍ରାଇଭର ବି ଖଲାସ ହୋଇଯିବ ଏବଂ ମାଲିକ ବି ବର୍ତ୍ତିଯିବ । ତେବେ ପ୍ରଶ୍ନ ଉଠୁଛି, ସତ କହୁଛି ତ ପୁଲିସ ?