ନିଶା ବେପାରୀଙ୍କୁ ଧରିବାକୁ ଯାଇଥିବା ବେଳେ ଏନ୍‌ସିବି ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଆଞ୍ଚଳିକ ନିର୍ଦ୍ଦେଶକ ସମୀର ବାନଖଡେଙ୍କ ସମେତ ୨ ଗୁରୁତର

153

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଯାଂଚ ଚାଲିଥିବା ବେଳେ ମୃତ୍ୟୁ ସହିତ ଡ୍ରଗ୍ସ ଲିଙ୍କ୍ ଥିବା ସୂଚନା ମିଳିଥିଲା । ଏହା ପରେ ନାର୍କୋଟିକ୍ କଣ୍ଟ୍ରେଲ ବୋର୍ଡ ପକ୍ଷରୁ ଲଗାତର ଭାବେ ଚଢାଉ ଜାରି ରହିଛି । ଏହି କ୍ରମରେ ରବିବାର ବିଳମ୍ବିତ ରାତିରେ ଏନସିବିର ଏକ ଟିମ୍ ଜଣେ ନିଶା ବେପାରୀଙ୍କୁ ଧରିବାକୁ ଯାଇଥିବା ବେଳେ ସେଠାରେ କିଛି ଲୋକ ଏନସିବିର ଟିମ୍ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଏନସିବିର ୨ ଜଣ ଅଧିକାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ ରବିବାର ରାତିରେ ଏନସିବିର ଏକ ଟିମ୍ ଗୋରେଗାଁଓ ଠାରେ ଏକ ନିଶା ବେପାରୀକୁ ଧରିବାକୁ ଯାଇଥିଲେ । ଏନସିବିର ଟିମ୍ ସେଠାରେ ପହଂଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ୫୦ ରୁ ଅଧିକ ଲୋକ ଏହି ଟିମ୍ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଆକ୍ରମଣ ହେଉଥିବା ଦେଖି ସବୁ ଅଧିକାରୀ ମାନେ ସେଠାରୁ ପଳାଇ ଆସିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କର ଆକ୍ରମଣରେ ୨ ଜଣ ଅଧିକାରୀ ଗୁରୁତର ହୋଇଛନ୍ତିା  ଖବର ପାଇ ମୁମ୍ବାଇ ପୋଲିସ ସେଠାରେ ପହଂଚି ଏନସିବି ଟିମ୍ କୁ ଉଦ୍ଧାର କରିବା ସହିତ ଗୁରୁତର ମାନଙ୍କୁ ମେଡିକାଲରେ ପହଂଚାଇଥିଲେ ।
କହିରଖୁ କି ଏନସିବି ଟିମ ମେଣ୍ଡିସ୍ ନାମକ ଜଣେ ନିଶା ବେପାରୀକୁ ଧରିବାକୁ ସେଠାରେ ପହଂଚିଥିଲା । ସେଠାରେ ଏଭଳି ଘଟଣା ଘଟିବା ପରେ ଏନସିବି ତରଫରୁ ଏତଲା ଦିଆଯାଇଛି । ଏତଲା ମୁତାବକ ମୁମ୍ବାଇ ପୋଲିସ ଆକ୍ରମଣରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ୍ କରି ଅନ୍ୟମାନଙ୍କ ବାବଦରେ ପଚରା ଉଚରା ଜାରି ରଖିଛି ।