କ୍ରୁଜ ଉପରେ ପୁଣିଥରେ ଏନସିବିର ଚଢାଉ, ୬ ଜଣ ଗିରଫ୍

122

କନକ ବ୍ୟୁରୋ : ମୁମ୍ବାଇ ସମୁଦ୍ର ଭିତରେ ଚାଲିଥିବା ରେଭ୍ ପାର୍ଟି ଉପରେ ଚଢାଉ ମାମାଲାରେ ଆଉ ପାଦେ ଆଗକୁ ଯାଇଛି ଏନସିବି । ପ୍ରଥମ ଦଫାରେ କିଛି ଡ୍ରଗ୍ସ ଜବତ କରିବା ସହ ୮ ଜଣଙ୍କୁ ଗିରଫ୍ କରିବା ପରେ ଆଜି ପୁଣିଥରେ ସେହି କ୍ରୁଜ ଉପରେ ଏନସିବି ପକ୍ଷରୁ ଚଢାଉ କରାଯାଇଛି । ଆଜିର ଚଢାଉରେ ଏନସିବିକୁ ପୁଣି କିଛି ଡ୍ରଗ୍ସ ମିଳିଥିବା ବେଳେ ଆଉ ୬ ଜଣଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଛି । ଆଜି କ୍ରୁଜ ସିପର ଉପର ତାଲା ଓ ଡେକ ଉପରେ ଚଢାଉ କରି ବହୁଳ ମାତ୍ରାରେ ଡ୍ରଗ୍ସ ଜବତ କରାଯାଇଛି ।

କହିରଖୁ କି, ଗୋଆ ଯାଉଥିବା କାର୍ଡିଲିଆ କ୍ରୁଜ ଉପରେ ଚଢାଉ ପରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଓ ଅନ୍ୟ ୭ ଜଣଙ୍କୁ ଗିରଫ୍ କରାଯାଇଥିଲା । ଏନସିବିକୁ ସୋମବାର ସୂଚନା ମିଳିଥିଲା କି ଜାହଜଟି ଏବେ ସହର ନିକଟକୁ ଆସିଛି । ଏହାପରେ ଏନସିବି ଅଧିକାରୀଙ୍କ ପକ୍ଷରୁ ଟର୍ମିନାଲରେ ପହଂଚି ପୁଣିଥରେ ଜାହାଜକୁ ତଲାସ କରିଥିଲା ।

ଅନ୍ୟପଟେ କ୍ରୁଜ କମ୍ପାନୀ ତରଫରୁ ରବିବାର ଦିନ କୁହାଯାଇଛି କି. ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କ୍ରୁଜକୁ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀସ୍ଥିତ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଭଡା ସୂତ୍ରରେ ନେଇଥିଲା । ସେଠାରେ କଣ ଘଟିଲା ତାହା ପାଇଁ କମ୍ପାନୀ ଉତ୍ତରଦାୟୀ ନୁହେଁ ।

ଏନସିବିର ଜଣେ ଅଧିକାରୀ କହିଛନ୍ତି କି ଏହି ମାମଲାରେ ଗିରଫ ହୋଇଥିବା ଆରୟନ ଖାନଙ୍କ ସହ ଅନ୍ୟ ୭ ଜଣଙ୍କର ପରିଚୟ ମିଳିଛି । ସେମାନେ ହେଲେ ମୁନମୁନ ଧମେଚା, ଅରବାଜ ମଚେଣ୍ଠ, ନୁପୁର ସାରିକା, ହସମିତ୍ ସିଂ, ମୋହକ ଜସୱାଲ,ବିକ୍ରାନ୍ତ ଛୋକର ଓ ଗୋମିତ ଚୋପଡା । ଅନ୍ୟପଟେ ଆରୟନ ଖାନ, ଧମେଚା ଓ ମଚେଣ୍ଟଙ୍କୁ ରବିବାର ଦିନ ଏକ ମେଟ୍ରୋପଲିଟନ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କୁ କୋର୍ଟଙ୍କ ଅନୁମତି କ୍ରମେ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ନେଇଛି ।