ପୋଲିସ କବଜାରେ କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ରାଜା । ଓଡିଶାରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିଲା ରାଜାର ନିଶା କାରବାରର ଚେର ।

562

କନକ ବ୍ୟୁରୋ : ପୋଲିସ କବଜାରେ କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ରାଜା । ବାଲାଂଦେଶରୁ ବ୍ରାଉନସୁଗାର ବା ଧଳାଜହର ଆଣି ସାରା ରାଜ୍ୟରେ କରୁଥିଲା କାରବାର । ସହଯୋଗୀଙ୍କୁ ପୁଳାପୁଳା ଟଙ୍କା ଦେଇ ନିଶାବେପାରୀଙ୍କ ପାଖରେ ପହଁଚାଉଥିଲା ଡ୍ରଗ୍ସ । ଆଉ ପୋଲିସକୁ ଚକମା ଦେଇ ଏ ସହରରୁ ସେ ସହରକୁ ବୁଲୁଥିଲା । ହେଲେ ପଡୁ ନଥିଲା ଧରା । ଏବେ ଏସଟିଏଫ୍ ଗିରଫ କରିବା ପରେ ଖୋଲୁଛି ରାଜାର ନିଶା ନେଟୱାର୍କର ଗୁମର ।

ଟିକଟକ ଭିଡିଓରେ ହିରୋଗିରି କରୁଥିବା ଏହି ବ୍ୟକ୍ତି ଜଣଙ୍କର ପରିଚୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏ ହେଉଛି ଡ୍ରଗ୍ସ ମାଫିଆ ସେକ୍ ରାଜା । ପୋଲିସର ମୋଷ୍ଟୱାଂଟେଡ ଏହି କୁଖ୍ୟାତ ନିଶା ବେପାରୀକୁ କ୍ରାଇମବ୍ରାଂଚର ସ୍ପେଶାଲ ଟାକ୍ସ ଫୋର୍ସ ଗିରଫ କରିବା ପରେ ଫିଟୁଛି ଗୁମର । ଓଡିଶାରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିଲା ରାଜାର ନିଶା ସାମ୍ରାଜ୍ୟ । ଓଡିଶା ସମେତ ଦେଶର ରାଜସ୍ଥାନ, ଗୋଆରେ ନିଶା କାରବାର କରୁଥିଲା ଏହି ଡ୍ରଗ୍ସ ମାଫିଆ । ଏପରିକି ନେପାଳ ଓ ବାଂଲାଦେଶକୁ ଲମ୍ବିଥିଲା ରାଜା ନିଶା କାରବାରର ଚେର ।

ବାଂଲାଦେଶ ମାଫିଆଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିଲା ରାଜା । ଆଉ ସେମାନେ ବାଂଲାଦେଶ ବର୍ଡରରେ ବ୍ରାଉନସୁଗାର ପହଞ୍ଚାଉଥିଲେ । ସେଠାରୁ ରାଜାର ସହଯୋଗୀମାନେ କୋଲାକାତା ଦେଇ ଡ୍ରଗ୍ସକୁ ଜଳେଶ୍ୱରରେ ପହଞ୍ଚାଉଥିଲେ । ଜଳେଶ୍ୱରରେ ଥିବା ରାଜାର ଫ୍ୟାନ୍ କ୍ଲବ ପିଲାମାନଙ୍କୁ ଟଙ୍କା ଦେଇ ସାରା ରାଜ୍ୟର ବେପାରୀମାନଙ୍କୁ ବ୍ରାଉନସୁଗାର ଯୋଗାଇ ଆସୁଥିଲା ।

ହେଲେ ରାଜା ଅଧିକାଂଶ ସମୟରେ ପୋଲିସକୁ ଚକମା ଦେଇ ଏସହରରୁ ସେ ସହରକୁ ଉଡି ବୁଲୁଥିଲା । ଫଳରେ ଏହି କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଧରିପାରୁନଥିଲା ପୋଲିସ । ତେବେ ତଦନ୍ତ ପରେ ଆନ୍ତର୍ଜାତୀୟ ଲିଙ୍କ ସ୍ପଷ୍ଟ ହେବ ବୋଲି କହିଛନ୍ତିି ପୋଲିସ୍ ଡିଜି ।

ପୋଲିସର ମୋଷ୍ଟୱାଂଟେଡ ଏହି କୁଖ୍ୟାତ ନିଶା ବେପାରୀକୁ ଖଣ୍ଡଗିରି ଥାନା ଅନ୍ତର୍ଗତ ପଦ୍ମପୁରରୁ ଗିରଫ କରିଛି ଏସଟିଏଫ୍ । ଗିରଫ ପରେ ତାଠାରୁ ୧ଲକ୍ଷ ଟଙ୍କା, ଗୁଳିଭର୍ତି ପିସ୍ତଲ, ୧୩୦ ଗ୍ରାମ ବ୍ରାଉନସୁଗାର, ୬ଟି ମୋବାଇଲ ଫୋନ୍ ଜବତ ହୋଇଛି । ତାର ନେଟୱାର୍କ ସାରା ଓଡିଶା ସମେତ ପଶ୍ଚିମବଙ୍ଗ, ଗୋଆ ଓ ରାଜସ୍ଥାନକୁ ବ୍ୟାପିଥିଲା । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ପରିବାର ଲୋକ । ନିଶା କାରବାର ସହିତ ଦାଦାବଟି ଓ ଫାୟାରିଂ ଭଳି ବହୁ ସଂଗୀନ ମାମଲାରେ ରାଜାର ସମ୍ପୃକ୍ତ ଥିବା ଅଭିଯୋଗ ରହିଛି ।