ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବିର ୨ ଅଫିସର ନିଲମ୍ବିତ। ଜାମିନ ପାଇଁ ଅଭିଯୁକ୍ତଙ୍କୁ ଯୋଗାଉଥିଲେ ସହାୟତା

1,011

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସଲିଙ୍କ ମାମଲାରେ ତଦନ୍ତ କରୁଥିବା ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ନିଜ ବିଭାଗର ୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ମିଳିଥିବା ସୂଚନା ମୁତାବକ ନିଲମ୍ବିତ ହୋଇଥିବା ୨ ଅଧିକାରୀ ଅଭିଯୁକ୍ତ ମାନଙ୍କୁ ସହାୟତା ଯୋଗାଉଥିବା ନେଇ କାର୍ଯ୍ୟାଳୟ ତରଫରୁ ପୂର୍ବରୁ ସନ୍ଦେହ ଥିଲା । ବିଭାଗ କହିଛି କି ଏହି ୨ ଜଣ ଅଫିସର୍ ଅଭିଯୁକ୍ତ ମାନଙ୍କୁ ଆଗୁଆ ଜାମିନ୍ ଦେବା ଓ ଏନସିବିର କିଛି ତଥ୍ୟ ଅଭିଯୁକ୍ତ ମାନଙ୍କ ନିକଟରେ ପହଂଚାଇବା ଭଳି ସହାୟତା ଯୋଗାଉଥିଲେ ।

କହିରଖୁ କି ଡ୍ରଗ୍ସ ମାମଲାରେ ଗିରଫ୍ ହୋଇ ଜାମିନ ପାଇଥିବା କମେଡିଆନ ଭାରତୀ ସିଂ, ତାଙ୍କ ପତି ହର୍ଷ ଲିମ୍ବାଚିଆଙ୍କ ଜାମିନ ଦିନ ଏନସିବିର କିଛି ଅଫିସର କୋର୍ଟରେ ହାଜର ହୋଇ ନଥିଲେ । ଫଳରେ ଅଦାଲତ ଏନସିବିର ପକ୍ଷ ଶୁଣିବା ବିନା ସେମାନଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏଭଳି ବି କିଛି ସନ୍ଦେହ ଅଭିନେତ୍ରୀ ଦୀପିକା ପାଦୁକନ୍ ଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଜାମିନ୍ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଏନେଇ ଏନସିବି ଏହି ୨ ଜଣ ଅଫିସରଙ୍କ ଉପରେ ସନ୍ଦେହ କରିଥିଲା । ଏନସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ସନ୍ଦେହ ଘେରକୁ ଆସିଥିବା ଏହି ୨ ଜଣ ଅଫିସରଙ୍କ ଉପରେ ଯାଂଚ୍ ହେବ ।

ସୂଚନା ଥାଉକି ଅଭିନେତା ସୁଶାନ୍ତସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଯାଂଚ ଚାଲିଥିବା ବେଳେ ବଲିଉଡର ଡ୍ରଗ୍ସଲିଙ୍କ୍ ପଦାକୁ ଆସିଥିଲା । ଏନେଇ ପ୍ରଥମେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକକୁ ଗିରଫ୍ କରାଯାଇଥିଲା । ଏହାପରେ ଏନସିବି ସ୍କାନରକୁ ଆସିଥିଲେ ବହୁ ବଡ ବଡ କଳାକାର । ଏହା ମଧ୍ୟରେ କମେଡିଆନ୍ ଭାରତୀ, ଦୀପିକା ପାଦକୁନଙ୍କ ମ୍ୟାନେଜର ଓ ଅର୍ଜୁନ ରାମପାଲଙ୍କ ଭଳି ବ୍ୟକ୍ତି ଏହି ମାମଲାରେ ଛନ୍ଦି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ବ୍ୟକ୍ତି ଏବେ ଜାମିନ ପାଇଛନ୍ତି । ହେଲେ ସେମାନଙ୍କୁ ଜାମିନ୍ ମିଳିବା ପଛରେ କିଛି ଏନସିବି କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।