କଳିଙ୍ଗ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ । ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ପରଠାରୁ ସରକାରଙ୍କ ରାଡାରରେ ରାଜଧାନୀର ଏହି ପ୍ରତିଷ୍ଠିତ ହସ୍ପିଟାଲ ।

512

କନକ ବ୍ୟୁରୋ : କଳିଙ୍ଗ ହସ୍ପିଟାଲରେ ଚଢାଉ । ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଏହି ଚଢାଉ କରାଯାଇଛି । ରେଡ୍ ସମୟରେ ୬ଟି ଏଭଳି ସାମଗ୍ରୀ ଜବତ କରାଯାଇଛି ଯାହାର ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ମିଳିଥିବା ସୂଚନା ମୁତାବକ, ଚଢାଉ ବେଳେ ରୋଗୀଙ୍କୁ ଦିଆଯାଉଥିବା ନିମ୍ନମାନର ଔଷଧ ଜବତ ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ୩ ଜଣ ଅଧିକାରୀ କଳିଙ୍ଗ ହସ୍ପିଟାଲ ଉପରେ ଆଜି ଅଚାନକ୍ ଚଢାଉ କରିବା ସହ ଏହି ସାମଗ୍ରୀ ସବୁ ଜବତ କରିଥିଲେ ।

ଏହାପୂର୍ବରୁ ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲର କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ସହ ବିବାଦ ଘେରକୁ ଆସିଥିଲା । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ କଳିଙ୍ଗ ହସ୍ପିଟାଲକୁ ବହୁମୂଲ୍ୟ ଦେବାକୁ ପଡିଥିଲା । ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡିଥିଲା କଳିଙ୍ଗ ହସ୍ପିଟାଲ । ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ବିଧାନସଭାରେ ଉଠିବାରୁ ଏହା ଉପରେ ବାଚସ୍ପତି ରୁଲିଂ ଦେଇଥିଲେ । ପରେ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ କମିଟି ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବା ପରେ କଳିଙ୍ଗ ହସ୍ପିଟାଲ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ସେହିପରି ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ ଯେଉଁମାନେ କି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରେ ତାଲିକାଭୁକ୍ତ ହୋଇଛନ୍ତି ସେହିସବୁ ଡାକ୍ତରଖାନା ଗୁଡିକ ଯେପରି ଓଏସଟିଏଫରେ ମାର୍ଗଦର୍ଶିକାକୁ ନିୟମାନୁସାରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଏଭଳି ଘଟଣା ଆଗାମୀ ଦିନରେ ପୁନରାବୃତି ଯେପରି ନଘଟେ ସେଥିପାଇଁ, ସେମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ତଦାରଖ କରିବା ନିମନ୍ତେ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗୃହରେ ବିବୃତି ରଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।