ରାଜ୍ୟସଭାରେ ଉଠିଲା ଡ୍ରଗ୍ସ ମାମଲା : ସାଂସଦ ଜୟାବଚ୍ଚନ କହିଲେ, ବଲିଉଡକୁ ବଦନାମ କରିବାକୁ ହେଉଛି ଉଦ୍ୟମ; ସରକାରଙ୍କଠାରୁ ମିଳୁନି ସମର୍ଥନ

478

କନକ ବ୍ୟୁରୋ : ରାଜ୍ୟସଭାରେ ଉଠିଛି ବିଲଉଡରେ ଡ୍ରଗ୍ସ କାରବାର ମାମଲା । ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇ ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ କହିଛନ୍ତି, ବଲିଉଡକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । କାହାର ନାଁ ନ ନେଇ ଜୟା ବିଜେପି ସାଂସଦ ରବି କିଷନଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ । ସେ କହିଥିଲେ, କିଛି ଲୋକ ବଲିଉଡରୁ ଆସିଥିଲେ ବି ବଲିଉଡ ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି । ଏହା ନିନ୍ଦନୀୟ । ଗତକାଲି ଭୋଜପୁରୀ ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଷନ ପାର୍ଲାମେଂଟରେ ଡଗ୍ସ ମାମଲା କଥା ଉଠାଇଥିଲେ । ସେ କହିଥିଲେ, ବଲିଉଡରେ ଏହାର ବହୁଳ ବ୍ୟବହାର ହେଉଛି । କେନ୍ଦ୍ର ସରକାର ଏହାର ତଦନ୍ତ କରନ୍ତୁ ।

ଜୟା କହିଥିଲେ, ଦେଶର ଆର୍ଥିକ ସ୍ଥିତି ଠିକ ନୁହେଁ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବଲିଉଡକୁ ବଦନାମ କରିବାକୁ ଉଦ୍ୟମ ହେଉଛି । ସୋସିଆଲ ମିଡିଆରେ ମଧ୍ୟ ବଦନାମ କରାଯାଉଛି । ଏହି ପ୍ରସଙ୍ଗରେ ବଲିଉଡକୁ କେନ୍ଦ୍ର ସରକାରଙ୍କ ସମର୍ଥନ ବି ମିଳୁନାହିଁ । ଯେଉଁ ଲୋକ ବଲିଉଡ ସହାୟତାରେ ନାମ କମାଇଲେ ସେମାନେ ହିଁ ଏହାକୁ ବଦନାମ କରୁଛନ୍ତି ।