କନକ ବ୍ୟୁରୋ : ଦେଶରେ ଅନେକ ବନ୍ଦର ରହିଛି । ହେଲେ ଗୁଜରାଟର ମୁନ୍ଦ୍ରା ବନ୍ଦର ଏବେ ନିଶାର ଏକ ପେଣ୍ଠସ୍ଥଳୀ ପାଲଟି ଯାଇଛି । ଗୌତମ ଆଦାନୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ବନ୍ଦର ଏବେ ନିଶା କାରବାର ପାଇଁ ବଦନାମ ହୋଇସାରିଛି । ଏହି ବନ୍ଦରରୁ କିଛିଦିନ ତଳେ ୨୧ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା । ଏବେ ପୁଣି ସେଠାରେ କୋଟି କୋଟି ଟଙ୍କାର ଇ- ସିଗାରେଟ ମଧ୍ୟ ଜବତ ହୋଇଛି ।

Advertisment

ଗତବର୍ଷ ସେପ୍ଟେମ୍ବର ମାସରେ ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା । ଏହି ମାମଲାରେ ଏନଆଇଏ ଟିମ୍ ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ତାଲିବାନୀ ନିଶା କାରବାରୀଙ୍କ ସଂପୃକ୍ତ ଥିବା କଥା ଏନଆଇଏ କହିଛି ।

କେବଳ ସେତିକି ନୁହେଁ ତାହାର କିଛିଦିନ ପରେ ଏହି ବନ୍ଦରରୁ ୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା । ଏହି ଡ୍ରଗ୍ସ ଗୁଜରାଟର ମୁନ୍ଦ୍ରା ବନ୍ଦର ବାଟେ ଆସି ଦିଲ୍ଲୀ ପହଂଚିବା ପରେ ଏହାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଓ ଏଟିଏସ ଧରିଥିଲେ । ଏନେଇ ଦିଲ୍ଲୀ ପୋଲିସ ବସନ୍ତକୁଞ୍ଜରୁ ଜଣେ ହେରୋଇନ ବିକ୍ରେତାଙ୍କୁ ଧରିବା ପରେ ପୁରା ବ୍ୟବସାୟ ଉପରୁ ପରଦା ହଟିଥିଲା ।

ଏହାପରେ ଗୁଜରାଟର କଚ୍ଛ ଜିଲ୍ଲା (ମୁନ୍ଦ୍ରା ବନ୍ଦର ନିକଟ) ରୁ ୭୫.୩ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା । ଏହାର ଆନୁମାନିକ ବଜାର ଦର ୩୭୬ କୋଟି ଟଙ୍କା ହେବ ବୋଲି କୁହାଯାଇଥିଲା । ଏନେଇ ପୋଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଥିଲେ କି ଗୋଟିଏ କଣ୍ଟେନରେ କପଡା ଅଣାଯାଇଥିଲା । ଏହି କପଡା ମଧ୍ୟରେ ଏସବୁ ନିଶା ସାମଗ୍ରୀ ଭର୍ତ୍ତି କରି ମୁନ୍ଦ୍ରା ବନ୍ଦର ବାଟେ ଭାରତ ଭିତରକୁ ଅଣାଯାଇଥିଲା ।

ଅନ୍ୟପଟେ କେବଳ ଡ୍ରଗ୍ସ ନୁହେଁ । ଏବେ ମୁନ୍ଦ୍ରା ବନ୍ଦରରୁ ୧୭ କୋଟି ଟଙ୍କାର ଇ- ସିଗାରେଟ୍ ମଧ୍ୟ ଜବତ କରାଯାଇଛି । ଏସବୁକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ କି ନିଶାମୁକ୍ତ ଗୁଜରାଟକୁ ସରକାର ନିଶାର ପେଣ୍ଠସ୍ଥଳୀ କରିଦେଇଛନ୍ତି । ଏହାସହ ସୁପ୍ରିମକୋର୍ଟର ଓକିଲ ତଥା ସମାଜସେବୀ ପ୍ରଶାନ୍ତ ଭୁଷଣ ବି ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି ଗୁଜରାଟରେ ଆଦାନୀଙ୍କ ମୁନ୍ଦ୍ରା ବନ୍ଦର ଏବେ ବିଶ୍ୱର ସବୁଠାରୁ ବଡ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ।