ଚାନ୍ଦୁଆ ସହରରେ ଚାଲିଛି ଡ୍ରଗ୍ସ କାରବାର : ନିଶାରେ ପଡି ବରବାଦ ହେଉଛନ୍ତି ଯୁବଗୋଷ୍ଠୀ; କହିଲେ, ଥରେ ଧଳା ଜହରର ମାୟାରେ ପଡିଗଲେ ଆଉ ବାହାରିବା ମୁସ୍କିଲ

162

କନକ ବ୍ୟୁରୋ : ଧଳା ଜହର କବ୍ଜାରେ ପିପିଲିର ଯୁବପିଢି । ରାତି ହେଲେ ବିଭିନ୍ନ ଗଳିକନ୍ଦିରେ ଜମୁଛି ନିଶାଡିଙ୍କ ଭିଡ । ବ୍ରାଉନ୍ସୁଗର ଖାଇବାକୁ ନିଛାଟିଆ ଭଙ୍ଗା ଘରେ ଓ ଅନ୍ଧାର ରାସ୍ତା କଡରେ ଏକାଠି ହେଉଛନ୍ତି ଲୋକେ । ସହରର ଅନେକ ସ୍ଥାନରେ ବେଆଇନ୍ ଭାବେ ମିଳିଛି ବ୍ରାଉନ୍ ସୁଗର । ରାତି ହେଲେ କେମିତି ଚାଲେ ଏମାନଙ୍କ ଆସର ? କ’ଣ କହୁଛନ୍ତି ବ୍ରାଉନ୍ ସୁଗର ଖାଉଥିବା ଲୋକେ ? ନିଶା ନଖାଇଲେ କ’ଣ ହୁଏ ? ନିଶା କବଳରୁ ଫେରିବାକୁ ଚାହିଁଲେ କାହିଁକୁ ଫେରି ପାରୁନାହାନ୍ତି ଏମାନେ ? ରାତିରେ ନିଶାର ଆସର ଜମିଥିବା ବେଳେ ସେମାନଙ୍କ ପାଖରେ ପହଂଚିଥିଲା କନକ ନ୍ୟୁଜ୍ ।

ଆଉ କ୍ୟାମେରା ସାମ୍ନାରେ ବଖାଣିଥିଲେ ସେମାନଙ୍କ ଅନୁଭୂତି । କହିଥିଲେ, ନିଶା ସେମାନଙ୍କୁ ବରବାଦ କରିଦେଇଛି । ଦିନକୁ ୫୦୦ ଟଙ୍କା ରୋଜଗାର କରୁଛନ୍ତି, ହେଲେ ୩୦୦ ଟଙ୍କା ଏହିଥିରେ ହିଁ ଖର୍ଚ୍ଚ ହୋଇଯାଇଛି । ଆଉ ଯାହା ଅର୍ଥ ବଂଚୁଛି ସେଥିରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ । ଦିନେ ନଖାଇଲେ ହାତ ଗୋଡ ବିନ୍ଧା ହେଉଛି । ଦେହରେ ଛୁରୀ ପଶିଲା ଭଳି ଲାଗୁଛି । ନିଶା ଖାଇବା ଦ୍ୱାରା ସହରରେ ଚୋରି, ଡକାୟତି ବଢୁଛି । ତେଣୁ ଯୁବପିଢିଙ୍କୁ ଏଥିରୁ ଦୂରେଇ ରହିବାକୁ ଏମାନେ ପରାମର୍ଶ ଦେଇଛନ୍ତି । କହିଛନ୍ତି, ଧଳା ଜହର ଖାଇ ନିଜକୁ ବରବାଦ କରନ୍ତୁ ନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ତୁରନ୍ତ ପିପିଲି ଅଂଚଳରେ ଏପରି ନିଶା କାରବାର ବନ୍ଦ ହେବା ଦରକାର ବୋଲି ଦାବି କରିଛନ୍ତି ।