ସାବଧାନ କଲା ଡ୍ରଗ୍ କଣ୍ଟ୍ରୋଲର୍ ! ଏସିଡିଟି ଔଷଧ Ranitidine ରୁ ମିଳିଲା କ୍ୟାନ୍ସରର କାରକ , କ୍ୟାନ୍ସର କରାଉଛି ଏହି ଏସିଡିଟି ଔଷଧ

7,406

ଯଦି ଆପଣ ମଧ୍ୟ ଏସିଡିଟିରୁ ନିସ୍ତାର ପାଇବା ପାଇଁ Ranitidine ଔଷଧ ବ୍ୟବହାର କରୁଛନ୍ତିି ତେବେ ସାବଧାନ ହୋଇଯାଆନ୍ତୁ । ମଙ୍ଗଳବାର ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ ଆଣ୍ଟି ଏସିଡିଟି ଔଷଧ Ranitidine କୁ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟ ଚେତାବନୀ ଜାରୀ କରିଛନ୍ତି । ଡ୍ରଗ୍ କଣ୍ଟ୍ରୋଲର୍ ଙ୍କ ଦ୍ୱାରା ଜାରୀ କରାଯାଇଥିବା ବୟାନରେ କୁହାଯାଇଛି Ranitidine ଔଷଧରେ ଏଭଳି ଅନେକ କ୍ୟାମିକାଲ୍ ମିଶିଛି ଯେଉଁଥିରେ କ୍ୟାନ୍ସର ହେବାର ବିପଦ ରହିଛି । ତେବେ ଆପଣଙ୍କୁ କହିରଖୁଛୁ କେବଳ ଏସିଡିଟି ପାଇଁ ନୁହଁ ଏହି ଔଷଧକୁ ଅନ୍ୟ ରୋଗ ଯେଭଳି – ଅନ୍ତନଳୀରେ ଅଲ୍ସର ,ଗେଷ୍ଟ୍ରୋଇସୋଫେଗଲ୍ ରୋଗ,ଇସୋଫେଗିଟିସ୍ ଭଳି ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହି ଔଷଧ ବଜାରରେ ଅଲଗା ଅଲଗା ଫର୍ମୁଲେସନ୍ ରେ ଔଷଧ ଏବଂ ଇଞ୍ଜେକସନ୍ ରୁପରେ ଉପଲବ୍ଧ ଅଛି ।

ଇଂରାଜୀ ବାଣିଜ୍ୟ ଖବରକାଗଜ ଇକୋନୋମିକ୍ ଟାଇମ୍ସରେ ଛପିଥିବା ଖବର ମୁତାବକ , ସ୍ୱାସ୍ଥ୍ୟସେବା ମହାନିର୍ଦ୍ଧେଶାଳୟ ଡ୍ରଗ୍ସ କଣ୍ଟ୍ରୋଲର୍ ବିଜି ସୋମାନୀ ଦେଶର ସବୁ ରାଜ୍ୟକୁ Ranitidine ଔଷଧକୁ ବ୍ୟବହାର ନ କରିବା ପାଇଁ ଚେତାବନୀ ଦେଇଛନ୍ତି । ସେ ସବୁ ରାଜ୍ୟ ସରକାରଙ୍କୁ ଏନେଇ ଉଚିତ୍ ପଦକ୍ଷେପ ନେବା ପାଇଁ ଆଦେଶ ଦେଇଛନ୍ତି । ସର୍ବପ୍ରଥମେ ଏହି ଔଷଧରେ କ୍ୟାନ୍ସରର କାରକ ଖୋଜିଥିବା ଏବଂ ଆଲର୍ଟ ଜାରୀ କରିଥିବା ସଂସ୍ଥା ହେଉଛି ଆମେରିକାର ଏଫଡିଏ ।

ଏହି ଔଷଧର ଉତ୍ପାଦନ କରୁଥିବା କମ୍ପାନୀକୁ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ଆଦେଶ ଦିଆଯାଇଛି । ଡ୍ରଗ୍ କଣ୍ଟ୍ରୋଲର୍ ଙ୍କ ନିର୍ଦ୍ଧେଶ ଅନୁସାରେ ରୋଗୀଙ୍କୁ ଏହି ଔଷଧ ନଦେବା ପାଇଁ ଡାକ୍ତରଙ୍କୁ କୁହାଯାଇଛି । ତେବେ ଏହି ଔଷଧର କ୍ୱାଲିଟି , ନିରାପତ୍ତା , କ୍ଷମତା ଏବଂ ଗୁଣବତ୍ତାକୁ ନିୟନ୍ତ୍ରୀତ କରିବା ପାଇଁ ଏହାର ନମୂନାକୁ ଟେଷ୍ଟ୍ କରିବା ପାଇଁ ଏକ୍ସପର୍ଟ କମିଟି ପାଖକୁ ପଠାଯାଇଛି । ଏହି କମିଟି ସାରା ଦେଶରେ ଭିନ୍ନ ଭିନ୍ନ ବ୍ରାଣ୍ଡସରେ ବିକ୍ରି ହେଉଥିବା ଏହି ଔଷଧର ଜାଞ୍ଚ୍ କରିବ ।