ଖୋଲୁଛି ବଲିଉଡର ଡ୍ରଗ୍ସ ଗୁମର,ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ ଲୋକପ୍ରିୟ ନାୟକ ଅର୍ଜୁନ ରାମପାଲଙ୍କ ଘରେ ଏନସିବିର ରେଡ

708

କନକ ବ୍ୟୁରୋ : ଧିରେ ଧିରେ ଖୋଲୁଛି ବଲିଉଡର ଡ୍ରଗ୍ସ ଗୁମର । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଏବେ କଥା ଯାଇ ଡ୍ରଗ୍ସ ଲିଙ୍କରେ ପହଂଚିଛି । ଏନେଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ବଲଉଡର ମହାନ ହସ୍ତୀଙ୍କ ଘରେ ରେଡ କରିବା ସହ କିଛି କଳାକାରଙ୍କୁ କାର୍ଯ୍ୟାଳୟକୁ ଡାକି ପଚରା ଉଚରା କରୁଛି । ଏହାସହ ଅନ୍ୟକିଛି କଳାକାର ଓ ତାଙ୍କର ସହଯୋଗୀଙ୍କୁ ବି ନୋଟିସ କରିଛି । ହେଲେ ଆଜି (ସୋମବାର) ବଲିଉଡର ଜଣାଶୁଣା ନାୟକ ଅର୍ଜୁନ ରାମପାଲଙ୍କ ଘରେ ଏହି ମାମଲାରେ ଏନସିବି ଚଢାଉ କରୁଥିବା ସୂଚନା ମିଳିଛି । କିଛିଦିନ ତଳେ ଅର୍ଜୁନ ରାମପାଲଙ୍କ ବାଳିକା ବନ୍ଧୁ ଓ ତାଙ୍କ ଭାଇକୁ ଜେରା କରିବା ପରେ ଏବେ ନ୍ୟାୟିକ ହେପାଜତରେ ରଖିଛି । ଆଜି ଅର୍ଜୁନ ରାମପାଲଙ୍କ ବାସଭବନ ଓ ତାଙ୍କ କାର୍ଯ୍ୟାଳୟ ଉପରେ ଚଢାଉ କରିଛି ଏନସିବି ।

ଏହା ପୂର୍ବରୁ ଏନସିବି ଡ୍ରଗ୍ସ ରଖିବା ଓ କିଣା ବିକା କରିବା ମାମଲାରେ ତାଙ୍କ ଗାର୍ଲଫ୍ରେଣ୍ଡ ଓ ତାଙ୍କ ଭାଇକୁ ପଚରା ଉଚରା କରିଥିଲା । ଏଥିରୁ କିଛି ସୁରାକ ମିଳିବା ପରେ ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ ଚଳାଇଥିଲା । ସଦ୍ୟ ସୂଚନା ମୁତାବକ ବାଳିକାବନ୍ଧୁଙ୍କ ଭାଇକୁ ଜାମିନ ମିଳିଯାଇଥିବା ବେଳେ ପୁଣି ଏନସିବି ତାଙ୍କୁ ଗିରଫ୍ କରିଛି । ଏହା ବ୍ୟତିତ ଧର୍ମା ପ୍ରଡକସନର ପ୍ରଯୋଜକ କ୍ଷୀତିଜ ପ୍ରସାଦଙ୍କୁ ବି ଡ୍ରଗ୍ସଲିଙ୍କ୍ ମାମଲାରେ ଗିରଫ୍ କରିଛି ଏନସିବି ।