ସୋମବାର ସକାଳ ୧୦ଟା ୧୪ରେ ସଂସଦର ସେଣ୍ଟ୍ରାଲ ହଲରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଶପଥ ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

402

କନକ ବ୍ୟୁରୋ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କୁ ଅପେକ୍ଷା କରିଛି ରାଇସିନା ହିଲ । ସୋମବାର ଦିନ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ଶପଥ ପାଠ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା କରାଯାଉଛି । ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଦିଲ୍ଲୀରୁ ଡାକରା ଆସିଛି । ସେହି ଐତିହାସିକ ମୂହୂର୍ତର ସାକ୍ଷୀ ରହିବା ପାଇଁ ସାରା ଦେଶବାସୀ ଅପେକ୍ଷା କରି ରହିଛନ୍ତି ।ଏହା ସକାଳ ୯ଟା ୧୭ରୁ ଆରମ୍ଭ ହୋଇ ୧୦ଟା ୩୫ରେ ଶେଷ ହେବ ବୋଲି କୁହାଯାଇଛି । ନଜର ପକାନ୍ତୁ ଶପଥ ସମାରୋହର ବିସ୍ତୃତ ସୂଚୀ ଉପରେ ।

ସକାଳ ୯ଟା ୨୨: ନର୍ଥ କୋର୍ଟରେ ପହଁଚିବେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ତାଙ୍କୁ ଏଡିସି ପାଛୋଟି ନେବେ । ‘କାବେରୀ’କୁ ନିଆଯିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସ୍ୱାଗତ କରିବେ ।
ସକାଳ ୯ଟା ୪୨: ରାଷ୍ଟ୍ରପତି କୋବିନ୍ଦ ଓ ନବ-ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘କାବେରୀ’ ଛାଡ଼ି ଦରବାର ହଲ୍କୁ ଯିବେ । ସେଠାରେ ଶୋଭାଯାତ୍ରା ବାହାରି ସାଲ୍ୟୁଟିଂ ମଂଚରେ ପହଁଚିବେ ।
ସକାଳ ୯ଟା ୪୯: ରାଷ୍ଟ୍ରପତି ଜାତୀୟ ଅଭିବାଦନ ଗ୍ରହଣ କରିବେ
ସକାଳ ୯ଟା ୫୦: ସଂସଦର ସେଂଟ୍ରାଲ ହଲ୍ ଅଭିମୁଖେ ଯିବେ ଦ୍ରୌପଦୀ ମୁର୍ମୁ
ସକାଳ ୧୦ଟା ୦୩: ରାଷ୍ଟ୍ରପତି ଓ ନବ-ନିର୍ବାଚିତ ରାଷ୍ଟ୍ରପତି ଆନୁଷ୍ଠାନିକ ମୋଟରକେଡ୍ରେ ସଂସଦ ଭବନରେ ପହଁଚିବେ
ସକାଳ ୧୦ଟା ୦୫: ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା ସଂସଦର ସେଂଟ୍ରାଲ୍ ହଲ୍ରେ ପହଁଚିବ
ସକାଳ ୧୦ଟା ୧୧: ଗୃହ ସଚିବ ରାଷ୍ଟ୍ରପତିଙ୍କ ଅନୁମତି ନେଇ ନିର୍ବାଚନ ଆୟୋଗଙ୍କ ବିବରଣୀ ପଢ଼ିବେ ଏବଂ ନବ-ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରିବେ
ସକାଳ ୧୦ଟା ୧୪: ଦ୍ରୌପଦୀ ମୁର୍ମୁଙ୍କୁ ଶପଥପାଠ କରାଇବେ ଭାରତର ପ୍ରଧାନ ବିଚାରପତି । କୋବିନ୍ଦଙ୍କ ସହ ଆସନ ବଦଳାଇବେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସକାଳ ୧୦ଟା ୧୮: ନୂଆ ରାଷ୍ଟ୍ରପତି ଶପଥପାଠ ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ ତାଙ୍କ ନିକଟରେ ପହଁଚିବେ ରାଷ୍ଟ୍ରପତିଙ୍କ ସଚିବ
ସକାଳ ୧୦ଟା ୨୩: ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେବେ
ସକାଳ ୧୦ଟା ୩୫: ରାଷ୍ଟ୍ରପତିଙ୍କ ଅନୁମତି କ୍ରମେ ସମାରୋହ ଉତ୍ସବର ସମାପନ କରାଯିବ