ବରଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ ଉଜୁଡିଯାଇଛି ଚାଷୀର ଫସଲ । ମରୁଡି ଘୋଷଣା କରି କ୍ଷତିପୂରଣ ଦେବାକୁ ଚାଷୀଙ୍କ ଦାବି ।

ପାଣି ଅଭାବରୁ ନଷ୍ଟ ହୋଇଯାଇଛି ଧାନ, ବିରି, ମୁଗ ଓ ପନିପରିବା ଫସଲ

63

କନକ ବ୍ୟୁରୋ: କେତେବେଳେ ଅଦିନିଆ ବର୍ଷା ଓ ରୋଗପୋକ ଦାଉ ସାଧୁଛି ତ ଆଉ କେତେବେଳେ ମରୁଡି ଜନିତ ଚାଷ ନଷ୍ଟ ହେଉଛି । କେତେବେଳେ ବୀମା କମ୍ପାନୀର ଶୋଷଣର ଶିକାର ହେଉଛି ତ ଆଉ କେତେବେଳେ ବିଦ୍ୟୁତ ବିଲର କଷଣରେ କସିହେଉଛି ଚାଷୀ । ତେବେ ଚଳିତ ବର୍ଷ ଠିକଣା ସମୟରେ ବର୍ଷାର ଅଭାବ ଯୋଗୁଁ ବରଗଡ ଜିଲ୍ଳାରେ ଭୟାବହ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପରିବାର ପୋଷଣକୁ ନେଇ ଚିନ୍ତାରେ ଏବେ ଚାଷୀକୂଳ । ଅନ୍ୟ ପକ୍ଷରେ ଫସଲ କ୍ଷୟକ୍ଷତିର ଆକଳନ ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଳି କହିଛନ୍ତି ଜିଲ୍ଳା ମୁଖ୍ୟ କୃଷୀ ଅଧିକାରୀ ।

ବରଗଡ ଜିଲ୍ଲାର ଅନେକ ବ୍ଲକରେ ମରୁଡି ପରିସ୍ଥିତି । ଧାନ, ମୁଗ, ବିରି, ଚିନାବାଦାମ ସହ ପନିପରିବା ଚାଷ ସଂପୁର୍ଣ୍ଣ ଉଜୁଡି ଯାଇଛି । ପଦ୍ମପୁର, ଝାରବନ୍ଧ, ପାଇକମାଲ, ବିଜେପୁର, ସୋହେଲା, ଗାଈସିଲଟ, ଭଟଲି ଓ ଅମ୍ବାଭନା ବ୍ଳକ ମରୁଡି ପ୍ରଭାବିତ ହୋଇଛି । ଏସବୁ ଅଣ ଜଳସେଚିତ ଅଞ୍ଚଞ୍ଚଳ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ବିଦ୍ୟୁତ ଲୋଭୋଲଟେଜ ଯୋଗୁଁ ସେଗୁଡିକ କାର୍ଯ୍ୟକାରୀ ହୋଇପାରୁ ନାହିଁ । ତେଣୁ ଚାଷ ଉଜୁଡି ଯାଇଛି, ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲି ଯାଇଛି ।

ଚାଷ ଓ ସମସ୍ୟାକୁ ନେଇ ସବୁବେଳେ ଲଢେଇ କରୁଥିବା ବରଗଡ ଜିଲ୍ଲାର ଚାଷୀ ଏବେ ପୁଣି ଥରେ ଆନ୍ଦୋଳନ ମୁହାଁ ହୋଇଛନ୍ତି । ସପ୍ତାହେ ହେଲା ବିଭିନ୍ନ ଅଞ୍ଚଳର ଚାଷୀ ମରୁଡି ଘୋଷଣା ଦାବି କରି ପାଇଁ ଭିନ୍ନ ଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଘେରାଉ କରୁଛନ୍ତି । ମରୁଡିର ସହାୟତା ପ୍ରଦାନ ସହ କୃଷି ଋଣ ଓ ବିଦ୍ୟୁତ୍ ବିଲ ଛାଡ କରିବାକୁ ଦାବି ହେଉଛି । ଜିଲ୍ଳା ମୁଖ୍ୟ କୃଷୀ ଅଧିକାରୀ କହିଛନ୍ତି, ଫସଲ କ୍ଷୟକ୍ଷତିର ଆକଳନ ପାଇଁ ପ୍ରତିନିଧି ପଠାଇଛନ୍ତି ଏବଂ କ୍ରଫ କଟିଂ ରିପୋର୍ଟ ଆସିବା ପରେ ସରକାରଙ୍କୁ ଜଣାଇବେ ।