ଓଡିଶାକୁ ଘାରିଲା ମରୁଡି଼ ଭୟ? ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା, ବାଲେଶ୍ୱର ଓ ଗଜପତିରେ ସାଂଘାତିକ ସ୍ଥିତି

170

କନକ ବ୍ୟୁରୋ: ଶ୍ରାବଣ ଆସିଲାଣି, ହେଲେ ବର୍ଷାର ଦେଖା ନାହିଁ । ଜମି ଫାଟି ଆଁ କଲାଣି । ଆଉ ବୁଣା ପସଲ ଉଜୁଡି ଗଲାଣି । ଗଜା ମରୁଡିର ଭୟ ଚାଷୀର ଚିନ୍ତା ବଢାଇ ଦେଇଥିବା ବେଳେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବର୍ଷାର ପରିମାଣ କମ ରହିଥିବାରୁ ଫସଲ ହେବା କଷ୍ଟକର ବ୍ୟାପାର ହୋଇଯାଇଛି । ଋଣ କରି ଚାଷ କରୁଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । କେମିତି ଜମିକୁ ପାଣି ଆସିବ, ଏବେ ସେହି ଚିନ୍ତା ଘାରିଛି ରାଜ୍ୟର ଅମେକ ଅଞ୍ଚଳର ଚାଷୀଙ୍କୁ ।


କୁଚିଣ୍ଡାରେ ବର୍ଷା ଅଭାବରୁ ଚାଷ ଜମିର ଅବସ୍ଥା ଏକଦମ ବିଗିଡି ଯାଇଛି । ଏକର ଏକର ଚାଷଜମିର ସ୍ଥିତି ସଙ୍ଗୀନ ହୋଇଛି । ପ୍ରଥମ ବର୍ଷାରେ ଚାଷୀ ବୁଣିଥିବା ଧାନ ବେଉଷଣ ହୋଇପାରୁନି, ରୁଆ କାମ ଆଗେଇ ପାରୁନି । ଜମି ଫାଟି ଆଁ କରିଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଫସଲର ସବୁ ଆଶା ମଉଳି ଯାଇଛି । ଆବଶ୍ୟକ ଠାରୁ କମ ବର୍ଷାରେ ଜମିର ହାଲ ବେହାଲ ହୋଇଛି । ହଜାର ହଜାର ହେକ୍ଟର ଜମିରେ ଚାଷ କେମିତି ହେବ ଏବେ ସେହି ଚିନ୍ତା ଘାରିଛି ।


କୁଚିଣ୍ଡା ଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି ନିଆଳିରେ । ଚାଷ ଜମିରେ ପଡିଥିବା ତଳି ଖରାରେ ପୋଡି ଗଲାଣି । ପାଣି ଅଭାବରୁ ଶୁଖିଲା ପଡିଛି କେନାଲ । ବିଲକୁ ପାଣି ନାହିଁ କି ଆକାଶରେ ବର୍ଷା ନାହିଁ ତେଣୁ ଏଇଥିରୁ ଅନୁମାନ କରିହେବ କଣ ହେବ ଫସଲ । ସେପଟେ ଜମି ଫାଟି ଯାଉଥିବାରୁ ଆଉ ବର୍ଷା ସ୍ୱପ୍ନ ପାଲଟିଥିବାରୁ ବାଧ୍ୟ ହୋଇ ଚାଷୀ ପାଣି କିଣୁଛି ଆଉ ଜମିରେ ମଡାଉଛି ।

ଗଜପତି ଜିଲ୍ଲା କାଶିନଗର ବ୍ଲକର ଦୃଶ୍ୟ ଏକାଭଳି । ବର୍ଷାକୁ ଆଶା କରି ବିହନ ବୁଣିଥିଲା ଚାଷୀ । ହେଲେ ପ୍ରବଳ ଖରାରେ ଧାନ ଚାରା ଶୁଖି କୁଟା ପାଲଟିଗଲା । ଗଜପତି ଜିଲ୍ଲାରେ ୬୦ ପ୍ରତିଶତରୁ କମ ବର୍ଷା କାରଣରୁ ହଜାର ହଜାର ହେକ୍ଟର ଜମି ପ୍ରଭାବିତ ହୋଇଛି । ଧାନ ଚାଷର କେନ୍ଦ୍ରସ୍ଥଳ କୁହାଯାଉଥିବା କାଶୀନଗର, ଗୁମ୍ମା, ଗୋଷାଣୀ ଓ ରାୟଗଡ ବ୍ଲକରେ ସୃଷ୍ଟି ହୋଇଛି ମରୁଡି ଆଶଙ୍କା । ଏଭଳି ସ୍ଥିତିରେ କୋଟି କୋଟି ଟଙ୍କା ବିନିମୟରେ ନିର୍ମିତ ଜଳସେଚନ ପ୍ରକଳ୍ପ କାମରେ ଆସୁନି ।

ତେବେ ଏସବୁ ଅଂଚଳ ବାଦ ଯାଜପୁର, କଂଟାବାଜି, ବାରିପଦା, ଅସ୍ତରଙ୍ଗ, ବସ୍ତା ଅଂଚଳରୁ ଆସିଛି ଚାଷୀଙ୍କର ଦୟନୀୟ ସ୍ଥିତିର ଚିତ୍ର । ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । କେଉଁଠି ବିଲରେ ଗୋରୁ ଚରୁଛନ୍ତି ତ ଆଉ କେଉଁଠି ଚାଷ କଲେ ଧୂଳି ଉଡୁଛି । ଏତେ ବେଳକୁ ଚାଷୀ ବିଲରେ ଧାନ ରୁଆ କାମ ଆରମ୍ଭ କରିବା କଥା । କିନ୍ତୁ ତଳି ପକା ଆରମ୍ଭ ହୋଇନି । ଏଭଳି ଚିତ୍ର ରାଜ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଯାହା ଗଜା ମରୁଡିର ଆଶଙ୍କାକୁ ଦୁଇଗଣା କରିଛି ।