କନକ ବ୍ୟୁରୋ: ଅଧା ପଶ୍ଚିମ ଓଡ଼ିଶାରେ ମରୁଡି ସ୍ଥିତି । ଚଳିତ ବର୍ଷ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା କିନ୍ତୁ କିଛି ସ୍ଥାନରେ ଅତ୍ୟନ୍ତ କମ ବର୍ଷା ଯୋଗୁଁ ମରୁଡି ସ୍ଥିତି ଦେଖାଦେଇଛି । ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୪୬ଟି ବ୍ଲକରେ ଏହି ସ୍ଥିତି ଉପଜୁଛି । ଗତକାଲି ବରଗଡ ଓ ସମ୍ବଲପୁରରେ ହଳ ଲଙ୍ଗଳ ଧରି ଚାଷୀ ମାନେ ବିକ୍ଷୋଭ କରିଥିଲେ ଓ ମରୁଡି ଘୋଷଣା ପାଇଁ ଦାବି କରିଥିଲେ । ଏହାପରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ମରୁଡି ସ୍ଥିତି ଥିବା ନେଇ ଏବେ ଖବର ପ୍ରକାଶ ପାଇଛି ।
ଯେଉଁ ସମୟରେ ଚାଷୀ ତା ବର୍ଷକର ପରିଶ୍ରମକୁ ହାତରେ ଧରି ଖୁସି ହେବା କଥା, ସେ ସମୟରେ ହାତରେ ଧରିଛି ଶୁଖୁଲା ଧାନ କେଣ୍ଡା । ଯାହାକୁ ନେଇ ପଶ୍ଚିମ ଓଡ଼ିଶାର ଚାଷୀ ହତାଶ । ଆବଶ୍ୟକ ବର୍ଷା ଅଭାବ ଏବଂ ଜଳସେଚନ ହୋଇନପାରିବାରୁ ଏବେ ଉପୁଜିଛି ମରୁଡି ସ୍ଥିତି । ମରୁଡ଼ି ଘୋଷଣା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।
ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ଅଧାରୁ ଅଧିକ ଅଞ୍ଚଳରେ ଶୁଭୁଛି ମରୁଡ଼ିର ପଦଧ୍ୱନି । ମୋଟ ୮୮ ବ୍ଳକରୁ ୪୬ ବ୍ଲକରେ ମାଟି ଫାଟି ଆଁ । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଓ ସମ୍ବଲପୁରର ଅଧାରୁ ଅଧିକ ବ୍ଳକରେ ମରୁଡ଼ି ଆଶଙ୍କା ଦେଖାଦେଇଛି । ଦେବଗଡ଼ ଓ ବଲାଙ୍ଗୀରର ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି । କଳାହାଣ୍ଡିର ୧୪ ବ୍ଳକରୁ ୬ଟି ବ୍ଳକରେ ସ୍ଥିତି ସଂଗୀନ ହୋଇଛି । ଝାରସୁଗୁଡ଼ା ଓ ନୂଆପଡ଼ାର ସବୁ ବ୍ଳକ ମରୁଡ଼ି ଆଡକୁ ମୁହାଁଇଛି । ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡିଦେଲେ ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି ।
ପୋଖରୀ ଗାଡିଆ ସବୁ ଶୁଖି ଯାଇଛି । ଯେଉଁଠି ଜଳସେଚନର ସୁବିଧା ରହିଛି ସେଠି ପାଣି ପମ୍ପ ଯୋଗେ ବିଲକୁ ପାଣି ମଡାଇ ଚାଷ ବଞ୍ଚାଇବାକୁ ଶେଷ ଚେଷ୍ଟା କରୁଛି ଚାଷୀ । ପ୍ରତିବର୍ଷ ଚାଷୀ ଏପରି ସମସ୍ୟାରେ ପଡ଼ୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି । ମରୁଡିର ପଦଧ୍ୱନୀ ଶୁଭୁଥିବା ବେଳେ କୃଷି ବିଭାଗର ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2021/10/1-56.jpg)