ଆସନ୍ନ ମରୁଡି ଆଡକୁ ମୁହାଁଇଛି ରାଜ୍ୟର ଅନେକ ଜିଲ୍ଲା । ବିଭିନ୍ନ ସ୍ଥାନରୁ ଆସିଲା ଶୁଖିଲା ଧାନ ବିଲର ବିକଳ ଚିତ୍ର, ବର୍ଷାର ଦେଖାନଥିବା ବେଳେ କାମରେ ଆସୁନି ଜଳସେଚନ ପ୍ରକଳ୍ପ ।

198

କନକ ବ୍ୟୁରୋ : ସାରା ରାଜ୍ୟରେ ଏବେ ମରୁଡି ପରିସ୍ଥିତି ଭୟଙ୍କର ହୋଇଛି । ଆସନ୍ନ ମରୁଡି ଆଡକୁ ମୁହାଁଇଛି ରାଜ୍ୟର ଅନେକ ଜିଲ୍ଲା । ଢେଙ୍କାନାଳ, ଝାରସୁଗୁଡା ଓ ଦେବଗଡରୁ ଆସିଛି ଶୁଖିଲା ଧାନ ବିଲର ବିକଳ ଚିତ୍ର । ଚାଷ କାମକୁ ଆଗକୁ ନେବା ପାଇଁ ବର୍ଷାର ଦେଖାନଥିବା ବେଳେ କାମରେ ଆସୁନି ଜଳସେଚନ ପ୍ରକଳ୍ପ ।

ନିଅଣ୍ଟିଆ ବର୍ଷା ପାଇଁ ଝାରସୁଗୁଡାରେ ମରୁଡ଼ି ଆଶଙ୍କା । ବର୍ଷା ନାହିଁ କି କାମରେ ଆସୁନି ଜଳସେଚନ ପ୍ରକଳ୍ପ । ପାଣି ବିନା ଧାନ ବିଲ ଫାଟି ଆଁ କରିଛି । ତଳି ପଡ଼ିଥିବା ଜମିରେ ଗୋରୁ ଚରୁଛନ୍ତି । ଏଭଳି ସମୟରେ ମରୁଡ଼ିରୁ ରକ୍ଷା ପାଇଁ ଜଳସେଚନ ପ୍ରକଳ୍ପଗୁଡ଼ିକ ଉପରେ ଚାଷୀ ଭରସା କରନ୍ତି । ହେଲେ ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ଜିଲ୍ଲାରେ ଥିବା ମେଗା ଜଳସେଚନ ପ୍ରକଳ୍ପ ଗୁଡ଼ିକ କାମରେ ଲାଗୁନି । କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡ଼ିଛି । ଚାଷୀ ମରୁଡିକୁ ନେଇ ଚିନ୍ତାରେ ଥିବା ବେଳେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଜଳସେଚନ ପ୍ରକଳ୍ପ ଗୁଡିକ ଖୁବ୍ ଶୀଘ୍ର ମରାମତି କରାଯିବ ।

ଢେଙ୍କାନାଳ ଜିଲ୍ଲା ଚାଷ ଜମିର ଚିତ୍ର ଚିନ୍ତା ବଢାଇଛି । ୭୦ ପ୍ରତିଶତ କମ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ୮ଟି ଯାକ ବ୍ଳକରେ ମରୁଡି ପରିସ୍ଥିତି ଉପୁଜିଛି । ଓଡାପଡା, ପରଜଂଗ, ସଦର ଏବଂ ଗଂଦିଆ ଭଳି ବ୍ଲକରେ ସ୍ଥିତି ସଂଗୀନ ହୋଇଛି । ହେକ୍ଟର ହେକ୍ଟର ଜମିରେ ଧାନ ଚାଷ ପୁରା ନଷ୍ଟ ହେବାକୁ ବସିଛି । କେଉଁଠି ତଳି ସବୁ ଖରାରେ ହଳଦିଆ ପଡିଲାଣି ତ ଆଉ କେଉଁଠିି ଧାନ ରୁଆ ଜମି ଫାଟି ଆଁ କରିଛି । ଅନେକ ଜମି ପଡିଆ ପଡିଥିବା ବେଳେ ଧାନ ବିଲରେ ଗାଇଗୋରୁ ଚରୁଥିବା ଦେଖିବାକୁ ମିଳୁଛି ।

ସାରା ରାଜ୍ୟରେ ଚାଷ ପାଇଁ ଜଳାଭାବ ଦେଖିବାକୁ ମିଳିଛି । ଚାଷକୁ ଜୀବନ ଜୀବିକା ଭାବେ ଆଦରି ନେଇଥିବା ଦେବଗଡ ଜିଲ୍ଲାରେ ମଧ୍ୟ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ନଥିବାରୁ ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ଶୁଖି ଯାଇଛି ୧୯୭୬ ମସିହାରୁ ନିର୍ମାଣ ହୋଇଥିବା ତିଲେଇବଣୀ ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ । ୧୯୮୧ ମସିହାରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ୮୮ଟି ଗାଁର ଜମିକୁ ପାଣି ମାଡୁଥିଲା । ହେଲେ ଏବେ ଜଳଶୂନ୍ୟ ଗୋହିରା ଜଳସେଚନ ପ୍ରକଳ୍ପ । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ପୋତି ହୋଇପଡିଛି ୨୩୬ ମିଟର ଜଳଧାରଣ କ୍ଷମତା ରଖିଥିବା ଜଳଭଣ୍ଡାର । ଏପଟେ ପାଣି ଅଭାବରୁ ଫାଟି ଆଁ କରିଛି ଚାଷ ଜମି । ଫସଲ ବଞ୍ଚାଇ ରଖିବା ପାଇଁ ଚାଷୀ ବର୍ଷାକୁ ଚାହିଁ ରହିଛି ।