କନକ ବ୍ୟୁରୋ : ଶ୍ରାବଣ ଶେଷ ହେଲା, ବର୍ଷାର ଦେଖାନାହିଁ । ଚାଷ ଜମିରେ ପାଣି ମଡାଇବା ପାଇଁ ପାଣି କିଣୁଛି ଚାଷୀ । ଚଳିତ ଖରିଫଋତୁରେ ଉଜୁଡିବାକୁ ବସିଛି ଧାନ ଫସଲ । ବର୍ଷା ନହେବା ଏବଂ କେନାଲରେ ପାଣିର ଅଭାବ କାରଣରୁ ମରୁଡି ସ୍ଥିତି ସୃଷ୍ଟି ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଚାଷୀ ଓ ଜମିର ସ୍ଥିତି ପରଖିଥିଲା କନକ ନ୍ୟୁଜ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିନା ବର୍ଷାରେ ମରୁଡି ସ୍ଥିତି । ବର୍ଷା ନହେବା ଚାଷୀଙ୍କ ପାଇଁ କେମିତି ମୁଣ୍ଡ ବିନ୍ଧାର କାରଣ ପାଲଟିଛି ତାହା ଏହି ଦୃଶ୍ୟକୁ ଦେଖିଲେ ହିଁ ସହଜରେ ଅନୁମାନ କରିହେବ । ଅସ୍ତରଙ୍ଗ ବ୍ଲକ ବେଗୁଣିଆବସ୍ତ ଗାଁର ପବିତ୍ର କୁମାର ସ୍ୱାଇଁ ୧୩ ଏକର ଚାଷ ଜମିରେ ଧାନ ଫସଲକୁ ବଂଚାଇ ରଖିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି । ବର୍ଷା ହେଉନଥିବା କାରଣରୁ ଏବଂ ପାଣିର ଅଭାବ କାରଣରୁ ଏକ ବୋରିଂରୁ ପାଇପ ବିଛାଇ ପାଣି ଆଣୁଛନ୍ତି । କିନ୍ତୁ ଜମିକୁ ଯାହା ପାଣି ଆସୁଛି ତାହା ଖରାରେ ଶୁଖି ଯାଉଛି । କେବଳ ବର୍ଷାକୁ ଅପେକ୍ଷା କରିବା ଛଡା ତାଙ୍କ ପାଖରେ ଆଉ କିଛି ଚାରା ନାହିଁ । ବର୍ଷା ନହେଲେ ଚାଷ ଛାଡିଦେବ ବୋଲି କହୁଛି ଚାଷୀ ।
ଅସ୍ତରଙ୍ଗ ବ୍ଲକରେ ଶ୍ରାବଣ ମାସରେ ମାତ୍ର ୨୦ ମିଲିମିଟର ବର୍ଷା ହୋଇଛି । ଏହାର ପ୍ରଭାବରେ ଯେଉଁ ସବୁ ଜମିରେ ଧାନ ରୁଆ ହୋଇଥିବା ପାଣି ଅଭାବରୁ ସେସବୁ ଫାଟିଗଲାଣି । ଅନେକ ଚାଷୀ କଳରେ ପାଣି ମଡାଇ ଚାଷ କରୁଛି । ତଳି ରୋଇବା ବେଳେ ଜମି ଶୁଖିଗଲେ, ବାଲଟିରେ ପାଣି ବୋହି ଜମିରେ ମଡାଇବାକୁ ଚେଷ୍ଟା କରୁଛି ଚାଷୀ । କେନାଲରେ ପାଣି ନଆସିବା କଥାକୁ ଜଳସେଚନ ବିଭାଗକୁ ଅବଗତ କରାଯାଇଛି । ହେଲେ ଫଳ ଶୂନ ।