କନକ ବ୍ୟୁରୋ: କିଛି ଦିନ କଳେ ବନ୍ୟା ପାଣିରେ ଉବୁଟୁବୁ ହେଉଥିଲା ଉପକୂଳ ଓଡିଶା । କିନ୍ତୁ ଏବେ ସେଠାରେ ପାଦ ଥାପିଲାଣି ମରୁଡି । ଆମେ କହୁଛୁ ପୁରୀ ଗୋପ ବ୍ଲ୍କର କଥା । ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି । ଚଳିତ ବର୍ଷ ବର୍ଷା ଅଭାବରୁ ଖରିଫ ଧାନ ଚାଷ ଉଜୁଡିଯାଇଥିବା ବେଳେ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । କେନାଲରେ ପାଣି ଆସୁ ନଥିବାରୁ ଗୋପ ବ୍ଲକର ବଉଲାଙ୍ଗ, ଏରାବଙ୍ଗ, ବେଦପୁର, ବଡତରା, ଅଚିତପୁର, ବନଖଣ୍ଡି ଆଦି ଗ୍ରାମ ପଂଚାୟତରେ ଶହ ଶହ ହେକ୍ଟର ଚାଷଜମି ଫାଟି ଆଁ କରିଛି ।
ଧାନ କେଣ୍ଡା ଧରିବା ବେଳେକୁ ପାଣି ଅଭାବରୁ ଗଛ ଶୁଖିଯାଇଛି । ଚଳିତ ବର୍ଷ ଧନୁଆ ନଦୀରେ ବନ୍ୟା ଯୋଗୁଁ ପାଂଚଟି ପଂଚାୟତରେ ଅଢେଇ ହଜାର ହେକ୍ଟର ଜମି ଜଳମଗ୍ନ ହୋଇ ନଷ୍ଟ ହୋଇଥିବା ବେଳେ ଏବେ ବର୍ଷା ଅଭାବ ଚାଷ ନଷ୍ଟହେବାକୁ ବସିଲାଣି । ଅନ୍ୟପଟେ ନିମାପଡା ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କେନାଲ ପାଣି ଆସିପାରୁ ନାହିଁ ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ହଜାର ହଜାର ଟଙ୍କା କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ପଡିଛି ଚଡକ ।