ଶୁଖିଲା ପଡିଛି ଦେବୀ ନଦୀ । ଚାଷ କାମରେ ଲାଗୁନି ଉଠା ଜଳସେଚନ ପ୍ରକଳ୍ପ ।

184

 

କନକ ବ୍ୟୁରୋ: ବର୍ଷାର ଦେଖା ନାହିଁ, ଜମି ଫାଟି ଆଁ କରିଛି । ଅସରାଏ ବର୍ଷା ପାଇଁ ଏବେ ବି ଆକାଶକୁ ଅନାଇ ରହିଛି ଚାଷୀ । ଆଶାଢ, ଶ୍ରାବଣ ଯାଇ ଭାଦ୍ରବ ହେଲାଣି ହେଲେ ଦେବୀ ନଦୀରେ ଟୋପାଏ ପାଣି ନାହିଁ । ଦେବୀ ନଦୀ ପାଲଟିଛି ମରୁଭୂମି । ସେପଟେ ଅଣଜଳ ସେଚିତ ଚାଷ ଜମିକୁ ପାଣି ଯୋଗାଇବା ଲକ୍ଷ୍ୟରେ ସରକାର ଉଠା ଜଳସେଚନ ପ୍ରକଳ୍ପ ବ୍ୟବସ୍ଥା କରିଛନ୍ତି । ତାହା ବି ଅନେକ ସ୍ଥାନରେ ଅଚଳ ହୋଇ ପଡିଛି । ନିଅଣ୍ଟିଆ ବର୍ଷା ସାଙ୍ଗକୁ ଅଚଳ ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯାହା ଫଳରେ ଅସୁବିଧା ଭୋଗୁଛନ୍ତି କଟକ ନିଆଳି ବ୍ଲକ ଦେଦୀ-କନ୍ଦଳ ଦୀପାଞ୍ଚଳ ସିଠାଳୋ ପଞ୍ଚାୟତର ଲୋକ ।

ଭାଦ୍ରବରେ ନଦୀ ଦୁଇ କୂଳ ଖାଇବା କଥା, ହେଲେ ଏବେ ଶୁଖିଲା ପଡିଛି । ସୁଖିଲା ଦେବୀ ନଦୀର ଦୃଶ୍ୟ, ନିଆଳି ବ୍ଲକ ଦେବୀ-କନ୍ଦଳ ଦ୍ୱୀପାଞ୍ଚଳର ଆସନ ମରୁଡିର ପଦଚିହ୍ନ । ସିଠାଳୋ, ଏକବେରୁଆଁ, ଶଗଡାଇଲୋ, ରାଣୀଓଳା, ଏରଞ୍ଚ ଓ କସର୍ଦା ପଞ୍ଚାୟତର ଲୋକେ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏଠାରେ କେନାଲ ସୁବିଧା ନାହିଁ । ଚାଷୀ, ବର୍ଷା ଜଳ ଓ ଉଠା ଜଳ ସେଚନ ପ୍ରକଳ୍ପକୁ ଭରସା କରି ଧାନ ଚାଷ କରନ୍ତି । ହେଲେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇଯିବାରୁ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା କରିଛନ୍ତି ଚାଷୀ ।

ବର୍ଷାର ଦେଖା ନାହିଁ, ସେପଟେ ୧ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ୧୬ଟି ଉଠା ଜଳ ସେଚନ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ନାହିଁ । ହେଲେ ଏଥିପ୍ରତି ବିଦ୍ୟୁତ ବିଭାଗର ନିଘା ନାହିଁ । ତେଣୁ ଚାଷ ଜମି ଶୁଖି ଆଁ କରିଛି । ଏହି ସମସ୍ୟା ସଂପର୍କରେ ଚାଷୀ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି, ହେଲେ କେହି ଶୁଣୁନାହାନ୍ତି । ସେପଟେ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି ଏହା ଏକ ଜାତୀୟ ବିପତ୍ତି । ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ, ଦେବୀ-କନ୍ଦଳ ଦ୍ୱୀପାଞ୍ଚଳକୁ ମରୁଡି ଘୋଷଣା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ସିଠାଳୋ ସରପଞ୍ଚ ।