ଚାଷୀଙ୍କୁ କରୋନା ଠାରୁ ଅଧିକ କଷ୍ଟ ଦେଉଛି ଅଭାବୀ ବର୍ଷା । ପାଣି ନଥିବାରୁ କେନ୍ଦ୍ରାପଡା ରାଜକନିକାରେ ଶୁଖି ଗଲାଣି ତଳି ଜମି, ପଡିଆ ପଡିଛି ହଜାର ହଜାର ହେକ୍ଟର ଜମି ।

129

କନକ ବ୍ୟୁରୋ: ମହାମାରୀ କରୋନା କାଳରେ ସବୁଆଡେ କାମ ଧନ୍ଦା ଠପ୍ ହୋଇଯାଇଛି । ସବୁ ରୋଜଗାର ପନ୍ଥା ବନ୍ଦ ହୋଇଯିବା ପରେ ଚାଷ ଉପରେ ନିର୍ଭର କରିଥିଲେ ଚାଷୀ । ଖରିଫ ଚାଷ କାମ ଠିକ୍ ସମୟରେ ଆରମ୍ଭ ହେବ ଭଲ ଅମଳ ହେବ । ହେଲେ ମହାମାରୀ କରୋନାକୁ ବଳିଗଲା ଅଭାବୀ ବର୍ଷା । ଠକ୍ ପରିମାଣର ବର୍ଷା ନହେବାରୁ କେନ୍ଦ୍ରାପଡା ରାଜକନିକା ଅଂଚଳରେ ଗଜା ମରୁଡି ଦେଖାଦେଇଛି ।

ବର୍ଷା ଅଭାବରୁ ତଳି ବିଲ ଫାଟି ଆଁ କରିଛି । ଧାନ ରୁଆ ହେବା ଆଗରୁ କଦୁଅ ବିଲ ଶୁଖି ଯାଉଛି, ତଳି ପୋଡିଯାଉଛି । କେତେକ ସ୍ଥାନରେ ପାଣି ବୁହାଇ ଚାଷ ବଂଚାଇବା ପାଇଁ ଚାଷୀ ଚେଷ୍ଟା କରୁଛନ୍ତି ଚାଷୀ । ଆପଣ ଦେଖୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଦୃଶ୍ୟ । ବ୍ଲକର ବାଘବୁଦା, ତରାଶ ଓ ବାରଡିଆ ଭଳି ବହୁ ପଂଚାୟତରେ ପାଣି ଅଭାବରୁ ଚାଷୀ ହାତ ବାନ୍ଧି ବସିଛନ୍ତି ।

ବିଗତ ବର୍ଷ ମାନଙ୍କରେ ଶ୍ରାବଣ ମାସ ବେଳରୁ ଚାଷୀ ଅଧାରୁ ଅଧିକ ଚାଷ କାମ ସାରିଥାନ୍ତି, ହେଲେ ଏବର୍ଷ ଅଭାବୀ ବର୍ଷା କାରଣରୁ ହଜାର ହଜାର ହେକ୍ଟର ଜମି ପଡିଆ ପଡିଛି । ତଳି ବିଲ ଶୁଖି ଯାଉଥିବା ବେଳେ ଅନେକ ସ୍ଥାନରେ ଚାଷ ଜମିରେ ଗାଇଗୋରୁ ଚରୁଥିବା ଦେଖିବାକୁ ମିଳିଛି । ତେବେ ଆଗକୁ ବର୍ଷା ନହେଲେ ଚଳିତ ବର୍ଷ ଖରିଫ ଋତୁରେ ଧାନ ଚାଷ ସଂପୂଣ୍ଣରୂପେ ଠପ ହୋଇଯିବାର ଆଶଙ୍କ କରୁଛନ୍ତି ଚାଷୀ ।