କନକ ବ୍ୟୁରୋ : ବର୍ଷା ଦିନରେ ବି ଜଳ ଅଭାବ । ଆଉ ଏହି ଅଭାବ ଭିତରେ ସନ୍ତୁଳି ହେଉଛି ଚାଷୀ କୁଳ । କିଛି ଦିନ ପରେ ଲଘୁଚାପ ବର୍ଷା ନେଇ ଚାଷୀ ଟିକେ ଖୁସି ହୋଇଛି । ହେଲେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ ଅନେକ କ୍ଷତିରେ ପଡିଛି । ଚଳିତଥର ବାଲେଶ୍ବର ବସ୍ତା ଅଂଚଳରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି । ଆଷାଢ ମାସ ଆରମ୍ଭରୁ ଚାଷ ଆରମ୍ଭ ହୋଇଥାଏ । ହେଲେ ଚଳିତଥର ବର୍ଷା କମ୍ ଯୋଗୁ ବହୁ ଅସୁବିଧା ଭୋଗିଛି ଚାଷୀ । ପାଣି ଅଭାବରୁ ବିଳମ୍ବରେ ତଳି ପକାଯାଇଥିବା ବେଳେ କିଛି ତଳି ପୂର୍ବରୁ ଲାଗିଥିଲେ ବି ପୋଡି ନଷ୍ଟ ହୋଇଯାଇଛି । ବର୍ଷା ଦିନରେ ବର୍ଷା ଅଭାବରୁ ନାଳ ଗାଡିଆ ଶୁଖିଲା ପଡିଛି ଆଉ ଚାଷ ଜମି ଫାଟି ଆଁ କରିଛି । ଏବେ ବେଉଷଣ କରିବାର ସମୟ ହେଲେ ପାଣି ଅଭାବରୁ ବିଲରେ ଚାଷ କିଭଳି କରିବ ସେ ନେଇ ଚିନ୍ତାରେ ପଡିଛି ଚାଷୀ କୁଳ ।
ବସ୍ତା ଅଞ୍ଚଳର ପ୍ରାୟ ୯୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ରୋଜଗାର ପାଇଁ ଅନ୍ୟ କିଛି ପଂଥା ନଥିବା ବେଳେ ପରିବାର କିଭଳି ଚଳିବ ଆଉ କରିଥିବା ଋଣ କିଭଳି ସୁଝିବ ସେ ନେଇ ଚାଷୀର ଚିନ୍ତା ବଢିଯାଇଛି । ସେପଟେ ବିଳମ୍ବରେ ଚାଷ କରିଲେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବା ସହ ଅମଳ ଭଲ ହେବ କି ନାହିଁ ସନ୍ଦେହରେ ପଡିଛି ଚାଷୀ । ଆଗକୁ ବର୍ଷା ହେବ କି ନାହିଁ ଦ୍ବନ୍ଦ୍ବ ଥିବାବେଳେ ଚାଷୀଙ୍କ ବର୍ଷକ ଆହାର ଉଜୁଡିବା ନେଇ ମୁଣ୍ଡରେ ହାତ ଦେଇ ବସିଛି ।
ଯଦି ଅଗକୁ ବର୍ଷା ନହୁଏ ତାହାହେଲେ ଚାଷ ହୋଇ ନପାରି ଜମି ପଡିଆ ରହିବା ସହିତ ମରୁଡି ପରିସ୍ଥିତି ଉପୁଜିବ ଏଥିରେ ସନ୍ଦେହ ନାହିଁ ।