କନକ ବ୍ୟୁରୋ : ଶୁଖିଲା ପଡିଛି ଧାନ ବିଲ । ଧାନ ଗଛ ଜଳି ଗଲାଣି । ଅନେକ ସ୍ଥାନରେ ଜମି ପଡିଆ ପଡିଛି । ପାଣି ଅଭାବରୁ ମାଟି ଫାଟି ଆଁ କରିଛି । ବର୍ଷାକୁ ଭରସା କରି ଧାନ ଚାଷ କରିଥିବା ଦଣ୍ଡପାଟ ଅଂଚଳର ଚାଷୀ ବହୁ ସମସ୍ୟା ଭିତରେ ଘାଂଟି ହେଉଥିବା ଅଭିଯୋଗ କରିଛନ୍ତି ।
ଧର୍ମଗଡ଼ ଉପଖଣ୍ଡର କୋକସରା ଓ ଧର୍ମଗଡ ବ୍ଲକର ୬୬ଟି ଗାଁକୁ ଦଣ୍ଡପାଟ ଅଂଚଳ କୁହାଯାଏ । ଏହି ଅଂଚଳର ଶତ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । କିନ୍ତୁ ଏବେ ଧର୍ମଗଡ ବ୍ଲକର ବିଭିନ୍ନ ଅଂଚଳରେ ପାଣି ଅଭାବରୁ ଧାନ ଚାଷ ମରିଯିବାକୁ ବସିଛି । ବର୍ଷା ଅଭାବ ସାଙ୍ଗକୁ ଚାଷ ଜମିରେ ଇନ୍ଦ୍ରାବତୀ ପ୍ରକଳ୍ପ ପାଣି ପହଂଚୁ ନଥିବାରୁ ମରୁଡି ଆଶଙ୍କା ମୁଣ୍ଡ ଟେକିଛି ।
ଦଣ୍ଡପାଟ ଅଂଚଳର ଚାଷ ଜମିରେ ପାଣି ଯୋଗାଇବା ପାଇଁ ୭୬୫ କୋଟି ବ୍ୟୟରେ ମେଗା ଲିଫ୍ଟ ଇରିଗେସନ୍ ବ୍ୟବସ୍ଥା କରାଯାଇଛି । ଇନ୍ଦ୍ରାବତୀ ପ୍ରକଳ୍ପ ପାଣି ଜମିରେ ମଡାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ତ୍ରୁଟି ପୂର୍ଣ୍ଣ ନକ୍ସା ପାଇଁ ତଳ ମୁଣ୍ଡରେ ଥିବା ଜମିରେ ପାଣି ପହଂଚୁନାହିଁ । ତେଣୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଦଣ୍ଡପାଟ ଅଂଚଳକୁ ମରୁଡି ଘୋଷଣା ଦାବି କରି ଚାଷୀମାନେ ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଦାବି ଜଣାଇଛନ୍ତି ।