ଇନ୍ଦ୍ରାବତୀ ପାଦତଳେ ଚାଷୀ ନିରାଶ । ପାଣି ଅଭାବରୁ ଶୁଖିଲା ପଡ଼ିଛି ବିଲ

50

କନକ ବ୍ୟୁରୋ : ପାଣି ଅଭାବରୁ ଶୁଖିଲା ପଡ଼ିଛି ବିଲ । ଅମଳ ସମୟରେ ବିଲରେ ଚରୁଛନ୍ତି ଗାଇଗୋରୁ । କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅନ୍ତର୍ଗତ ଧନସୁଲି ପଂଚାୟତ । ଚଳିତ ବର୍ଷ ନିଅଂଟିଅ ବର୍ଷା ଯୋଗୁଁ ଖରିଫ ଫସଲ ଅମଳ ପୂର୍ବରୁ ବିଲରେ ଧାନ ଫସଲ ସବୁ ପୋଡ଼ି ଜଳି ନଷ୍ଟ ହୋଇଯାଇଛି । ତେଣୁ ଅମଳ ପରିବର୍ତେ ଚାଷୀ ବିଲରେ ଗାଇ ଗୋରୁ ଛାଡ଼ିଦେଇଛନ୍ତି ।

ଜୟପଟଣା ବ୍ଲକରେ ଥିବା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଦ୍ୱାରା ବାମ ଓ ଡାହାଣ ମୁଖ୍ୟ କେନାଲ ଓ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼ ଲାଞ୍ଜିଗଡ଼ ଓ ଭବାନୀପାଟଣା ନିର୍ବାଚନମଣ୍ଡୀର ପାଖାପାଖି ୧ଲକ୍ଷ ୧୨ ହଜାର ହେକ୍ଟରରୁ ଅଧିକ ଚଷ ଜମି ଜଳସେଚିତ ହେଉଛି । କିନ୍ତୁ ଧନସୁଲି ଅଂଚଳ ଉଚ୍ଚତାରେ ଥିବାରୁ ଜଳସେଚନର ବ୍ୟବସ୍ଥା ନାହିଁ । ତେଣୁ ପ୍ରତିବର୍ଷ ଏଠାକାର ଚାଷୀ ବର୍ଷା ଭରସାରେ ଚାଷ କରି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ କ୍ଷତିପୂରଣ ଦାବି ହୋଇଛି ।

ଚଳିତ ବର୍ଷ ଅଗଷ୍ଟ ମାସରେ ବର୍ଷା ହେବା ପରେ ଚାଷୀ ବିଳମ୍ବରେ ଚାଷ କାମ ଆରମ୍ଭ କରିଥିଲେ । ଧାର କରଜ କରି କୀଟନାଶକ ପ୍ରଯୋଗ କରି ଧାନର ଉଚିତ୍ ଯତ୍ନ ନେଇଥିଲେ । କିନ୍ତୁ ଧାନ ଫସଲ ଅମଳ ଶେଷ ହେବା ବେଳକୁ ପାଣି ଅଭାବରୁ ଗଛ ଶୁଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।