ସ୍ୱଳ୍ପ ବୃଷ୍ଟିପାତ ଓ ପାଣି ଅଭାବରୁ ଉଜୁଡ଼ିଗଲା ଫସଲ । ଜମିରେ ଗାଇ ଓ ମଇଁଷି ଛାଡିଦେଲେ ଆସିକା ଓ ଧରାକୋଟର ଚାଷୀ

35

କନକ ବ୍ୟୁରୋ : ପାଣି ଅଭାବରୁ ଉଜୁଡ଼ିଗଲା ଫସଲ । ଜମିରେ ଧାନ ଗଛ ଠିଆ ହୋଇଛି । ହେଲେ ଗଛରେ ନାହିଁ ଧାନ କେଣ୍ଡା । ପାଣି ଅଭାବରୁ ଧାନ ଗଛ ପୋଡ଼ି ଜଳି ନଷ୍ଟ ହୋଇଗଲାଣି । ଶେଷରେ ନିରାଶ ହୋଇ ଧାନ ବିଲରେ ଗାଇଗୋରୁ ଛାଡ଼ିଦେଇଛନ୍ତି ଚାଷୀ । ବର୍ଷସାରା ଅକ୍ଳାନ୍ତ ପରିଶ୍ରମ ପରେ ଅମଳ କରିବା ବଦଳରେ ଧାନ ବିଲରେ ଚରୁଛନ୍ତି ଗାଇ ଓ ମଇଁଷି ପଲ । ଗଂଜାମ ଜିଲ୍ଲାର ଆସିକା, ଧରାକୋଟ ବ୍ଲକର ଏକର ଏକର ଧାନ ଫସଲ ପାଣି ଅଭାବରୁ ନଷ୍ଟ ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଛି ଚାଷୀ । ଅନ୍ୟପଟେ ଜମିରୁ ଯେଉଁ ଧାନ ଅମଳ ହୋଇଛି ତାହା ମଧ୍ୟ ଅଗାଡ଼ି । ପୂର୍ବରୁ ଯେଉଁ ଜମିରୁ ଦୁଇ ଗୁଣା ଧାନ ଆଦାୟ ହେଉଥିଲା ଏବେ ସହି ଜମିରୁ ଅଧା ବି ଅମଳ ହେଉନାହିଁ । ତେଣୁ ପରିବାର ପୋଷଣ ସହ ରୁଣ ଭାର ନେଇ ଚିନ୍ତାରେ ପଡ଼ିଛି ଚାଷୀ।

ଗଂଜାମର ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି । ଧାନ ଅମଳ ପରେ ରୁଣ ପରିଷୋଧ କରିବା ସହ ପରିବାରର ବର୍ଷକ ପାଇଁ ଆବଶ୍ୟକ ଖାଦ୍ୟ ପାଇଥାଏ ଚାଷୀ । ହେଲେ ଚଳିତ ବର୍ଷ ବର୍ଷା ଅଭାରୁ ଧାନ ଫସଲ ଉଜୁଡି ଯାଇଛି । ପ୍ରାୟ ଗାଁରେ ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୃଷି ବିଭାଗର ଅଧିକାରୀଙ୍କ ଦେଖାନାହିଁ ।

ଅନ୍ୟପଟେ ବିଜେପି ଓ କମ୍ୟୁନିଷ୍ଟ ଦଳ ପକ୍ଷରୁ ଚାଷିଙ୍କୁ କ୍ଷୟକ୍ଷତି ପ୍ରଦାନ ନିମନ୍ତେ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଉଥିବା ବେଳେ ଦୁଇ ଦିନ ହେଲା ଓଡିଶା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କିସାନ୍ ସେଲ୍ର ସଭାପତି ଅମିୟ ପଟ୍ଟନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଗଂଜାମର ବିଭିନ୍ନ ବ୍ଲକରୁ ବ୍ଲକ ବୁଲି କ୍ଷତିଗ୍ରସ୍ତ ଚାଷିଙ୍କୁ ଭେଟୁଛନ୍ତି । ସରକାର ଯଥା ଶ୍ରିଘ୍ର ଚାଷିଙ୍କ କ୍ଷୟକ୍ଷତି ଆକଳନ କରି ସେମାଙ୍କ କ୍ଷତିପୁରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।