କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେକେତ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜୁଛି । ଏପରିକି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୫ ଜିଲ୍ଲାର ପାହାଡ଼ିଆ ଅଂଚଳରେ ଭୁସ୍ଖଳନ ସମ୍ଭାବନା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ଆଶଙ୍କା ଦେଖା ଦେଇଛି । ଏହାରି ଭିତରେ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେଇଛି । ମୌସୁମି ଆଗମନର ଦୁଇ ଦିନିଆ ବର୍ଷା ଆସ୍କା ଚାଷିଙ୍କ ମୁହଁରେ ହସ ଫୁଟାଇଥିଲା । ଚାଷ କାମ ଆରମ୍ଭ କରି ତଳି ପକାଇ ଥିଲେ ଚାଷି ।

Advertisment

ହେଲେ ଆବଶ୍ୟକ ମୁତାବକ ବର୍ଷା ଅଭାବରୁ ଅନେକ ସ୍ଥାନରେ ତଲି ହଳଦିଆ ହୋଇପଡ଼ିଛି । ଯଦି ଆଗକୁ ଏମିତି ଅବସ୍ଥା ରହିବ, ତେବେ ଚାଷ କାଯ୍ୟ ବ୍ୟାହତ ହେବା ଆଶଙ୍କା ଦେଖା ଦେଇଛି । ସେପଟେ ଗଜପତି ମୋହନା ନାରାୟଣ ନଗରରେ ଗତ ୧୫ ଦିନ ହେବ ପାଣି ସମସ୍ୟା ଲାଗି ରହିଛି । ପାଣି ସମସ୍ୟା ଦୂର କରିବା ଦାବରେ ଲୋକେ ଘଂଟା ଘଂଟା ଧରି ସ୍ଥାନୀୟ ସରପଂଚ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଘେରାଉ କରିଛନ୍ତି । ଅଭିଯୋଗ ଅନୁସାରେ, ୧୪ ନମ୍ବର ୱାର୍ଡରେ ୪ଟି ନଳକୂପ ଥିବା ବେଳେ ସବୁଯାକ ଅଚଳ ହୋଇ ରହିଛି । ଯେଉଁ କାରଣରୁ ଲୋକେ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ସେପଟେ ଗଜପତି ରାୟଗଡ଼ ବ୍ଲକ ଲାଇଲାଇ ଗଁରେ ମଧ୍ୟ ନଳକୂପ ସମସ୍ୟା ଦେଖା ଦେଇଛି । ଗାଁରେ ଯେଉଁ ଦୁଇଟି ନଳକୂପ ଅଛି, ସେଥିରୁ ମଇଳା ପାଣି ବାହାରୁଛି । ତେଣୁ ପାଣି ପାଇବା ପାଇଁ ଝରଣା ପାଣି ଏକମାତ୍ରା ସାହାରା ହୋଇଛି ।