ସରକାର ଦେଲେ ସାଂଘାତିକ ଚିତ୍ର । ୨୫ ଜିଲ୍ଲାରେ କମ୍ ବର୍ଷା, ୨୧ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ଲଘୁଚାପ ଉପରେ ଆଶା ଭରସା ।

141

କନକ ବ୍ୟୁରୋ : ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଆଡକୁ ମୁହାଁଉଛି ଓଡ଼ିଶା । ଆଜି ବିଧାନସଭାରେ ମରୁଡି ନେଇ ସାଂଘାତିକ ଚିତ୍ର ଦେଖାଇଛନ୍ତି ରାଜସ୍ୱ ମନ୍ତ୍ରୀ । ଲିଖିତ ଉତରରେ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ୫ଟି ଜିଲ୍ଲାକୁ ଛାଡିଦେଲେ ୨୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ଆଉ ୨୧ଟି ବ୍ଳକର ସ୍ଥିତି ସଂଗୀନ ହୋଇଛି । ଧାନ ବୁଣା ସରିଥିବା ବେଳେ ବର୍ଷା ଅଭାବରୁ କେଉଁଠି ଗଜା ମରୁଡି ହୋଇଛି, ଆଉ କେଉଁଠି ତଳି ରୁଆ ହୋଇପାରୁନାହିଁ । ସେପଟେ ଜଳଭଣ୍ଡାରରେ ପାଣି ମହଜୁଦ ନଥିବାରୁ ଜଳସେଚନ ମଧ୍ୟ ହୋଇପାରୁନାହିଁ । ଏବେ କେବଳ ଲଘୁଚାପ ବର୍ଷା ଉପରେ ଭରସା ରହିଛି ।

ବର୍ଷା କମିଯିବାରୁ ମରୁଡ଼ି ସ୍ଥିତି ଆଡକୁ ଗତି କରୁଛି ଓଡ଼ିଶା । ମାତ୍ର ୫ଟି ଜିଲ୍ଲାକୁ ଛାଡିଦେଲେ ୨୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । କୋରାପୁଟ, ଖୋର୍ଦ୍ଧା, ନବରଙ୍ଗପୁର, କଟକ ଓ କଳାହାଣ୍ଡିରେ ବୃଷ୍ଟିପାତ ସ୍ୱାଭାବିକ ହୋଇଛି । ରାଜ୍ୟର ୩୧୪ ବ୍ଳକ ମଧ୍ୟରୁ ୨୩୫ ବ୍ଳକରେ ବର୍ଷା ପରିମାଣ ସ୍ୱାଭାବିକ ଠାରୁ ବହୁତ କମ ରହିଛି । ସବୁଠୁ ଚିନ୍ତାର କାରଣ ହେଉଛି, ୫୯ ପ୍ରତିଶତରୁ କମ ବର୍ଷା ହୋଇଛି ୨୧ଟି ବ୍ଳକରେ ।

ଏହାରି ଭିତରେ ଧାନ ବୁଣା ଶେଷ ହୋଇଛି । କେତେକ ସ୍ଥାନରେ ଧାନ ଗଜା ଅବସ୍ଥାରୁ ଶୁଖି ଜାଳ ହୋଇଯାଇଛି । ଯେଉଁ ସ୍ଥାନରେ ତଳି ପଡ଼ିଛି, ବର୍ଷା ଅଭାବରୁ ରୁଆ କାର୍ଯ୍ୟ ଆରମ୍ଭ ହୋଇପାରୁନି । ଆଉ ଯେଉଁଠି ରୁଆ ହୋଇଛି, ସେଠାରେ ବେଉଷଣ କରିପାରୁନି ଚାଷୀ । ରାଜ୍ୟର ଅଧିôକାଂଶ ଅଂଚଳରେ ଦେଖିବାକୁ ମିଳିଛି, ଏଭଳି ଅଭାବନୀୟ ଦୃଶ୍ୟ ।

ମରୁଡ଼ି ପରିସ୍ଥିତି ନେଇ ବିଧାନସଭାରେ ଉତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ପ୍ରାୟ ୪୯ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଧାନ, ଡାଲି ଜାତୀୟ, ତୈଳବୀଜ ଓ ପନିପରିବା ଚାଷ ହୋଇଛି । ଏବେ ବର୍ଷା ଅଭାବରୁ ଏକ ଅନିଶ୍ଚିତତା ଗତି କରୁଛି କୃଷି କାର୍ଯ୍ୟ । ସେପଟେ ନଦୀ, ନାଳ, ଜଳଭଣ୍ଡାର ଗୁଡିକରେ ଆବଶ୍ୟକ ପାଣି ନାହିଁ । ବୃହତ ଓ ମଧ୍ୟମ ଜଳଭଣ୍ଡାରରେ ମାତ୍ର ୧୫.୬୬ ପ୍ରତିଶତ ଜଳ ମହଜୁଦ ରହିଛି । ୨୬୯୯ଟି କ୍ଷୁଦ୍ର ଜଳଭଣ୍ଡାର ମଧ୍ୟରୁ ୨୧୬୦ଟି ପ୍ରକଳ୍ପରେ ଡେଡ୍ ଷ୍ଟୋରେଜ୍ ତଳେ ପାଣି ରହିଛି । ତେଣୁ ଠିକ ଭାବେ ଜଳସେଚନ କରାଯାଇ ପାରୁନାହିଁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ପାଣି ଅଭାବରୁ ଜଳବିଦ୍ୟୁତ ଉତ୍ପାଦନକୁ କମ କରାଯାଇଛି । ଜଳ ସଂଚୟ ଓ ମିତବ୍ୟୟ ଉପରେ ଗୁରତ୍ୱ ଦେଇଛନ୍ତି ସରକାର ।