ପାଣି ନାହିଁ ଚାଷୀଙ୍କୁ ଘାରିଛି ଚାଷ ଚିନ୍ତା । ବର୍ଷା ଅଭାବରୁ ଶୁଖି ଗଲାଣି ଧାନ ତଳି, ଫାଟି ଆଁ କରିଛି ଜମି, ମୌସୁମୀର ଲୁଚକାଳି ଖେଳରେ କାକଟପୁର ଓ ଅସ୍ତରଙ୍ଗ ଚାଷୀ ଅସ୍ତବ୍ୟସ୍ତ । ଏପଟେ କାମାକ୍ଷାନଗର ଓ କେନ୍ଦ୍ରାପଡାରୁ ଆସିଛି ସମାନ ଚିତ୍ର ।

227

କନକ ବ୍ୟୁରୋ: ପାଣି ବିନା ଫାଟି ଆଁ କରିଛି ଚାଷ ଜମି । ଧାନ ଚାଷ ପାଇଁ ବୁଣା ହୋଇଥିବା ତଳି ଜଳି ଗଲାଣି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା ଗାଁର ଚାଷୀଙ୍କ ଦୁଃଖ କହିଲେ ନସରେ । ପାଣି ଅଭାବରୁ ବୁଡ଼ିବାକୁ ବସିଛି ଫସଲ । ଜମିକୁ ଲାଗି ଅଛି ରେଙ୍ଗାଳୀ କେନାଲ ହେଲେ ପାଣି ଆସୁନାହିଁ । ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ କେନାଲରେ ପାଣି ଆସୁନଥିବା ଚାଷୀଙ୍କ ସମସ୍ୟା ବଢିଯାଇଛି । କେନାଲ ସଫା ହୋଇନାହିଁ, ତେଣୁ ଆନବନା ଗଛରେ ଭର୍ତି ହୋଇଯାଇଛି । ଫଳରେ କେନାଲର ଉପର ମୁଣ୍ଡକୁ ପାଣି ଆସୁଥିବା ବେଳେ ତଳି ଅଂଚଳକୁ ପହଂଚି ପାରୁନାହିଁ  ।

ମୌସୁମୀର ଲୁଚକାଳି ଖେଳ ଚାଷୀ ପାଇଁ କାଳ ହୋଇଛି । ଅଭାବୀ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ଖରିଫ ଧାନ ଚାଷ କାମ ବିଳମ୍ବ ହେଉଛି । ବର୍ଷାର ଦେଖା ନଥିବା ବେଳେ କେନାଲରେ ପାଣି ଆସୁନି । ଫଳରେ ଚାଷ ଜମିରେ ତଳି ରୋଇବା କାମ ଅଟକି ଯାଇଛି । ସେପଟେ ସାରର କଳାବଜାରୀ ଚାଷୀଙ୍କ ପାଇଁ କାଳ ହୋଇଛି । କରୋନା ମହାମାରୀ ଭିତରେ ବଜାରରେ ଚଢା ଦରରେ ୟୁରିଆ, ଗ୍ରୁମର ସାର ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ସେହିପରି କେନ୍ଦ୍ରାପଡ଼ାର ଚାଷୀ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଠା ଜଳସେଚନ ବିଭାଗର ଉଦାସିନତା ପାଇଁ କେନ୍ଦ୍ରାପଡ଼ା ବାଲିସାହି ଗାଁରେ ପଡ଼ିଆ ପଡ଼ିବାକୁ ଯାଉଛି ଚାଷଜମି । କେନାଲରେ ପାଣି ନଥିବା ବେଳେ ଉଠା ଜଳସେଚନ ପାଇଁ ବିଛା ଯାଇଥିବା ପାଇପ କାମ କରୁନି । ଏଭଳି ସ୍ଥିତିରେ ଚାଷୀ କେମିତି ଜମିରେ ତଳି ବୁଣିବ ସେନେଇ ଚିନ୍ତାରେ ପଡିଛି ।

କେନ୍ଦ୍ରାପଡ଼ା, ପୁରୀ, ଢ଼େଙ୍କାନାଳ ସବୁ ସ୍ଥାନରେ ଚାଷୀଙ୍କ ଚିନ୍ତା ବଢିଯାଇଛି  । ଚାଷ ଜମିରେ ପାଣି ପହଂଚିଲେ ଚାଷୀ ଖରିଫ ଧାନ ଚାଷ ଆରମ୍ଭ କରିବ, ହେଲେ ମୌସୁମୀର ଲୁଚକାଳି ଖେଳ ସାଙ୍ଗକୁ କେନାଲରେ ପାଣି ଆସୁନଥିବାରୁ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି ।