ସ୍ୱଳ୍ପ ବର୍ଷା ନେଇ ସାଙ୍ଘାତିକ ରିପୋର୍ଟ: ୨୧ ଜିଲ୍ଲାରେ କମିଛି ବର୍ଷା ! ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ

224

କନକ ବ୍ୟୁରୋ: ରାଜ୍ୟକୁ ମାଡି ଆସୁଛି ମରୁଡି ! ଶ୍ରାବଣ ମାସରେ ବି ବର୍ଷାର ନାଁ ଗନ୍ଧ ନଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମରୁଡି ସ୍ଥିତି ଭୟଙ୍କର ହେବାର ଆଶଙ୍କା କରାଯାଉଛି । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ମରୁଡି ଆଗମନୀର ପଦଧ୍ୱନୀ ଶୁଣିବାକୁ ମିଳୁଥିବା ବେଳେ କାଲି ଗଜା ମରୁଡି ନେଇ ଗୃହ ଗରମ ହୋଇଥିଲା । କଂଗ୍ରେସର ଦାବି ପରେ କାଲି ବାଚସ୍ପତି ବିଭାଗୀୟ ମନ୍ତ୍ରୀଙ୍କୁ ୨ ଦିନ ଭିତରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଧାନସଭାରେ ଆସନ୍ନ ମରୁଡି ନେଇ ବିବୃତି ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ମନ୍ତ୍ରୀଙ୍କ ବିବୃତି ଅନୁସାରେ ରାଜ୍ୟର ୨୧ଟି ଜିଲ୍ଲା ଏବଂ ୨୦୬ଟି ବ୍ଲକରେ ସ୍ୱାଭାବିକ ଠାରୁ ସ୍ୱଳ୍ପ ବର୍ଷା ହୋଇଛି । ମାତ୍ର ୨୪ଟି ବ୍ଲକରେ ୫୯ ପ୍ରତିଶତ ନିଅଣ୍ଟ ବର୍ଷା ହୋଇଛି । ତେବେ ଜୁନରେ ବୃଷ୍ଟିପାତ ସ୍ୱାଭାବିକ ଠାରୁ ୩୧.୫ ପ୍ରତିଶତ କମ ହୋଇଛି । ସେହିପରି ଜୁଲାଇ ମାସରେ ସ୍ୱାଭାବିକ ଠାରୁ ୨୦.୮ ପ୍ରତିଶତ କମ୍ ହୋଇଛି । ଆଉ ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ୨୬.୩ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ତେବେ ଜମିରେ ବିହନ ବୁଣା ନେଇ ମଧ୍ୟ ତଥ୍ୟ ରଖିଛନ୍ତି ମନ୍ତ୍ରୀ । ଗତବର୍ଷ ୨୦.୧୪ ଲକ୍ଷ ହେକ୍ଟର ଜମିରେ ବିହନ ବୁଣା ହୋଇଥିଲା । ହେଲେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୨.୩୧ ଲକ୍ଷ ହେକ୍ଟର ଜମିରେ ଧାନ ବିହନ ବୁଣା ହୋଇଥିବା ବେଳେ ୨୦.୯୯ ଲକ୍ଷ ହେକ୍ଟର ଜମିରେ ଅନ୍ୟାନ୍ୟ ବିହନ ବୁଣା ସରିଛି ।

ଆସନ୍ନ ମରୁଡି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବିଭିନ୍ନ ସ୍ଥାନରେ ବର୍ଷା ନଥିବାରୁ କି କେନାଲରେ ପାଣି ନଥିବାରୁ ଜମି ଫାଟି ଆଁ କରିଛି । କିଛି ସ୍ଥାନରେ ତଳି ଉଠିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ତଳି ହଳଦୀଆ ପଡିଯାଇଛି । ମାଟି ଫାଟି ଆଁ କରିଥିବା ଟାଙ୍ଗରା ଭୂମିରେ ଗୋରୁ ଗାଇ ଚରୁଛନ୍ତି । ବର୍ଷା ବିହୁନେ ଚାଷ ଏକଦମ ଠପ ହୋଇଯାଇଥିବା ବେଳେ ଆବଶ୍ୟକ ବର୍ଷା ନହେଲେ କୃଷି ବିଭାଗ ଦ୍ୱାରା କ୍ରପ କଣ୍ଟିଜେନ୍ସି ପ୍ଲାନ ତିଆରି କରାଯିବ ଏବଂ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।