ମରୁଡ଼ି ବଢ଼ାଇଲା ସରକାରଙ୍କ ଚିନ୍ତା । ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ମୁକାବିଲା ପାଇଁ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ

Advertisment
ମରୁଡ଼ି ବଢ଼ାଇଲା ସରକାରଙ୍କ ଚିନ୍ତା । ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ମୁକାବିଲା ପାଇଁ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ

କନକ ବ୍ୟୁରୋ: ରାଜ୍ୟରେ ସ୍ୱଳ୍ପବର୍ଷା, ସମ୍ଭାବ୍ୟ ମରୁଡ଼ିକୁ ଡାକି ଆଣିଛି । ଗୋଟିଏ ପଟେ ବର୍ଷା କମ ହେଉଛି, ଅନ୍ୟପଟେ ଦୁର୍ବଳ ଜଳସେଚନ ବ୍ୟବସ୍ଥା, ଚାଷୀଙ୍କୁ ହତାଶ କରିଛି । ଶ୍ରାବଣ ମାସରେ ଜମି ଶୁଖି ଫାଟି ଗଲାଣି । ୩୦ ଜିଲ୍ଲାର ୧୫ଟି ବ୍ଳକ ଅଧିକ ପ୍ରଭାବିତ ହୋଇଛି । ଏହାର ମୁକାବିଲା କିପରି ହେବ, ଏ ନେଇ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛି ମୁଖ୍ୟ ଶାସନ ସଚିବ । ମରୁଡ଼ିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବର୍ଷା ଅଭାବରୁ କିପରି ଧାନଚାଷ ପ୍ରଭାବିତ ହୋଇଛି ଏହି ଦୁଇ ଚିତ୍ର ବୟାନ କରୁଛି । ପଶ୍ଚିମ ଓଡ଼ିଶାର ଚିତ୍ର ଯାହା, ଉପକୂଳ ଓଡ଼ିଶାର ଚିତ୍ର ମଧ୍ୟ ସମାନ । ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଜମି ଫାଟି ଆଁ ଅଲାଣି, ବିଲରେ ଧାନ ତଳି ଶୁଖି ଗଲାଣି । ନିକଟରେ ବର୍ଷା ନହେଲେ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି ।

ରାଜ୍ୟରେ ୧୫ଟି ଜିଲ୍ଲାର ୩୦ଟି ବ୍ଲକ ଅଧିକ ପ୍ରଭାବିତ ହୋଇଛି । ରାଜ୍ୟରେ ମରୁଡ଼ିର ପଦଧ୍ୱନୀ ଶୁଭିବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଛି । କିପରି ଏହାର ମୁକାବିଲା କରାଯିବ, ଏ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

ଚଳିତ ବର୍ଷ ରାଜ୍ୟରେ ହୋଇଥିବା ବର୍ଷାର ସ୍ଥିତି ଉପରେ ନଜର ପକାନ୍ତୁ -
ମୌସୁମୀ ଋତୁରେ ୨୮.୭% କମ୍ ବୃଷ୍ଟିପାତ
ଅଗଷ୍ଟ ମାସରେ ୫୦% ବର୍ଷା କମ୍
୧୫ ଜିଲ୍ଲାର ୩୦ ବ୍ଲକରେ କମିଛି ଜମି ଆଦ୍ରତା

ଅନୁଗୁଳ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଂଜାମ, ଗଜପତି, ଯାଜପୁର, କେନ୍ଦୁଝର, ରାୟଗଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାର ୩୦ଟି ବ୍ଳକରେ ଆଦ୍ରତା କମି ଜମି ଶୁଖି ଆସିଲାଣି । ଯାହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ଏପଟେ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ିକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ବିଜେପି ୪ଟି ଟିମ୍ ଗଠନ କରି ମରୁଡି ପ୍ରବଣ ଅଂଚଳରେ ଅନୁଧ୍ୟାନ କରିବାକୁ ନିଷ୍ପତି ନେଇଛି । ତୁରନ୍ତ ସରକାର ଟାସ୍କଫୋର୍ସ ଗଠନ କରିବାକୁ ଦାବି କରିଛି ଦଳ । କଂଗେସ ମଧ୍ୟ ଏ ନେଇ ସରକାରଙ୍କୁ ଟାର୍ଗେଟ କରିଛି ।

ମରୁଡ଼ି ସ୍ଥିତିର ମୁକାବିଲା ନେଇ ସରକାର ପଦକ୍ଷେପ ନେଉନଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ଜଳସେଚିତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ମନରେଗାରେ ୨୦ ଲକ୍ଷ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳରେ ସ୍ଥିତି କିପରି ରହିଛି, ଜାଣିବା ପାଇଁ ଓୟୁଏଟିର ଏକ ଟିମ୍, କ୍ଷେତ୍ର ପରିଦର୍ଶନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe