ବର୍ଷା ଅଭାବରୁ ବିଭିନ୍ନ ଜିଲ୍ଲାରେ ମରୁଡି ପରିସ୍ଥିତି ! ଶୁଖି ଗଲାଣି ଧାନ ଗଛ, କ୍ଷତିପୂରଣ ଅପେକ୍ଷାରେ ଚାଷୀ ।

107

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ସ୍ୱଳ୍ପବର୍ଷା ଯୋଗୁଁ ସମ୍ବଲପୁର, ଦେବଗଡ ଏବଂ ନବରଙ୍ଗପୁର ଜିଲ୍ଲାରେ ଉତ୍କଟ ହୋଇଛି ମରୁଡି ପରିସ୍ଥିତି । ସମ୍ବଲପୁରର ପରମାଣପୁର ଅଂଚଳରେ ପାଣି ଅଭାବରୁ ଧାନଗଛ ଗୁଡିକ ମରିଯାଉଥିବା ଦେଖି ଚାଷୀକୂଳ ଭାଙ୍ଗି ପଡିଛି । ଦେବଗଡ ତିଲେଇବଣି ଅଂଚଳରେ ବି ସମାନ ସ୍ଥିତିର ମୁକାବିଲା କରୁଛନ୍ତି ଚାଷୀ । ସେପଟେ ନବରଙ୍ଗପୁରରେ ପାଣି ଅଭାବରୁ ଚାଷ ନଷ୍ଟ ହେବା ପରେ ମରୁଡି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ।

ସମ୍ବଲପୁରରେ ମରୁଡିର ପଦଧ୍ୱନି । ଶୁଖିଲା ଧାନ ବିଲରେ ଗୋରୁ ଛାଡିଲେ ଚାଷୀ । ସମ୍ବଲପୁର ଜିଲ୍ଲାରେ ମରୁଡି ପଦଧ୍ୱନୀ ଦେଖାଦେଇଛି । ପରମାଣପୁର ଅଂଚଳରେ ଦେଢ ହଜାର ହେକ୍ଟର ଚାଷ ଜମି ଥିବାବେଳେ ମାତ୍ର ୩୦୦ ହେକ୍ଟର ଜମିକୁ କେନାଲ ପାଣି ମାଡୁଛି । ଅନ୍ୟ ଜମି ଗୁଡିକକୁ ଜଳସେଚନ ପାଇଁ ଲିପ୍ଟ ପଏଂଟ ବ୍ୟବସ୍ଥା ନଥିବାରୁ ଭୟଙ୍କର ମରୁଡି ପରିସ୍ଥିତି ଦେଖାଦେଇଛି । ଜମିର ଧାନଗଛ ଶୁଖି ଯିବାରୁ ଧାନବିଲରେ ଗୋରୁ ଛାଡି ଦେଇଛନ୍ତି ଚାଷୀ । ତେବେ ଚାଷୀଙ୍କ କହିବା ଅନୁସାରେ ଚଳିତ ବର୍ଷର ମରୁଡି ୮୦ ବର୍ଷର ରେକର୍ଡ କାଟିଥିିବା ବେଳେ ଜିଲ୍ଲାପାଳ କହିଛନ୍ତି ମରୁଡିର ଆକଳନ ଚାଲିଛି, ସରକାରୀ ନିୟମ ଅନୁସାରେ ସାହାଯ୍ୟ ଯୋଗାଇ ଦିଆଯିବ ।

ଦେବଗଡ ଚାଷୀଙ୍କ ହୋସ ଉଡାଇଲା ସ୍ୱୂବର୍ଷା । କ୍ଷୀର ଭରିବା ସମୟରେ ଅଗାଡି ହେଲା ଧାନ । ଦେବଗଡ ଜିଲ୍ଲାର ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକର ମୋଟ ୩୪ହଜାର ୫ଶହ ହେକ୍ଟର ଜମିରେ ଧାନଚାଷ କରାଯାଇଥିବା ବେଳେ ବର୍ଷାଭାବ ଯୋଗୁଁ ତିଲେଇବଣି ବ୍ଲକରେ ମରୁଡି ସ୍ଥିତିର ସାମ୍ନା କରୁଛନ୍ତି ଚାଷୀ । ତିଲେଇବଣି ବ୍ଲକର କଂସର, ସଡୋ, ଢୋଲପଡା, କେନ୍ଦେଇଜୁରୀ, ପାଳକୁଦର, ଲଇମୁରା, ଝରାଗୋଗୁଆ, ପାରପୋଶି, ଡିମ୍ବିରିକୁଦା, ଗଣ୍ଡମ, ଝାରମୁଣ୍ଡା ଓ ଛେପଲିପାଲି ପଂଚାୟତରେ ପାଣି ଅଭାବରୁ ଜମି ଫାଟିବା ସହ ଧାନଗଛ ଶୁଖି ଯାଉଛି । ଅନେକ ଚାଷ ଜମିରେ ଧାନ କ୍ଷୀର ଭରିବା ବେଳେ ପାଣି ଅଭାବରୁ ଅଗାଡି ହୋଇଯାଉଛି । ଫଳରେ କରଜ କରି, ରକ୍ତକୁ ପାଣି କରି ଚାଷ କରିଥିବା ଚାଷୀ ଅମଳର ଆଶା ଛାଡି ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଚାଷର ଏଭଳି ସ୍ଥିତିକୁ ଗମ୍ଭୀରତା ସହ ନେଇଛି । କୃଷି ବିଭାଗ ଅଧିକାରୀ ସମ୍ପୃକ୍ତ ଅଂଚଳରେ ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାକୁ ମରୁଡି ଘୋଷଣା ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଦିବାସୀ ଉନ୍ନୟନ ମନ୍ତ୍ରୀ । ନବରଙ୍ଗପୁରରେ ମଧ୍ୟ ସମାନ ସ୍ଥିତିର ସମ୍ମୁଖିନ କରିଛନ୍ତି ଚାଷୀ । ଚଳିତ ବର୍ଷ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଥିବାରୁ ବିଭିନ୍ନ ବ୍ଲକରେ ଚାଷ ଠିକ୍ ଭାବରେ ହୋଇପାରିନାହିଁ । ଧାନ ପାଚିବା ସମୟରେ ପାଣି ଅଭାବରୁ ଉଜୁଡି ଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ଫଳରେ ଚାଷ ଆଶା ଛାଡି ଚାଷୀ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ସେପଟେ ଜିଲ୍ଲାରେ ସୃଷ୍ଟି ହୋଇଥିବା ମରୁଡି ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖ ଜଣାଇଛନ୍ତି ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ । ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।