ରାଜ୍ୟରେ କାୟା ମେଲାଇଲା ମରୁଡି ! ପଶ୍ଚିମ ଓଡ଼ିଶା ସର୍ବାଧିକ ପ୍ରଭାବିତ, ୧୫ଟି ଜିଲ୍ଲାର ୭୦ଟି ବ୍ଲକରେ ଫସଲ ହାନି, ରିପୋର୍ଟ ମିଳିଲା ସହାୟତାକୁ ଅପେକ୍ଷା

182

କନକ ବ୍ୟୁରୋ : ଗତବର୍ଷ ପଶ୍ଚିମ ଓଡ଼ିଶାରେ ଉଜୁଡା କ୍ଷେତ ମୁଣ୍ଡରେ ଚାଷୀ ଆତ୍ମହତ୍ୟା ଖବର ବ୍ୟଥିତ କରିଥିଲା ସାରା ରାଜ୍ୟକୁ । ଏବର୍ଷ ପୁଣି ଥରେ ମରୁଡିର ତାଣ୍ଡବ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି । ୧୫ଟି ଜିଲ୍ଲାର ୭୦ଟି ବ୍ଳକ ଏବଂ ୧୧୨୫ ଗ୍ରାମପଂଚାୟତରୁ ଆସିଛି ମରୁଡିର ଭୟାବହ ଚିତ୍ର । ମୋଟ ୩ ଲକ୍ଷ ୨୩ହେକ୍ଟରରୁ ଅଧିକ ଜମିରେ ଫସଲହାନି ଘଟିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା । ଏ ନେଇ ଆଜି ସ୍ୱତନ୍ତ୍ର ରିଲିଫ୍ କମିସନର ରାଜସ୍ୱ ମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଚୂଡାନ୍ତ ରିପୋର୍ଟ ଦିଆଯିବା ପରେ ମରୁଡି ପ୍ରଭାବିତ ଅଂଚଳକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇପାରେ ।

droughtମରୁଡି ପ୍ରଭାବିତ ଅଂଚଳ ଭାବେ ୧ ନମ୍ବର ସ୍ଥାନରେ ରହିଛି ବଲାଙ୍ଗୀର । ଜିଲ୍ଲାର ୧୪ଟି ବ୍ଳକରେ ମରୁଡି କାୟା ମେଲାଇଛି । ରାଜ୍ୟର ମୋଟ ମରୁଡି ପ୍ରଭାବିତ ଅଂଚଳର ଏକ ତୃତୀୟାଂଶ ଅଂଚଳ ବଲାଙ୍ଗୀରର । ମୋଟ ୧ ଲକ୍ଷ ୬ ହଜାର ହେକ୍ଟରରୁ ଅଧିକ ଜମିରେ ନଷ୍ଟ ହୋଇଯାଇଛି ଫସଲ । ଏହା ତଳକୁ ରହିଛି ବରଗଡ଼ । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ଏହି ଜିଲ୍ଲାର ୧୦ଟି ବ୍ଳକରେ ଉଜୁଡି ଯାଇଛି ଫସଲ । ୮୮ ହଜାରରୁ ଅଧିକ ହେକ୍ଟର ଜମିରେ ଜଳି ଯାଇଛି ଫସଲ ।ତୃତୀୟ ସ୍ଥାନରେ ରହିଛି ପଶ୍ଚିମ ଓଡ଼ିଶାର ଆଉ ଏକ ଜିଲ୍ଲା – ନୂଆପଡ଼ା । ଜିଲ୍ଲାର ୫ଟି ବ୍ଲକର ୬୧ ହଜାରରୁ ଅଧିକ ଜମିରେ ମରୁଡିର କରାଳ ରୂପ ଦେଖିବାକୁ ମିଳିଛି ।ରାଜ୍ୟରେ ମୋଟ ୩ ଲକ୍ଷ ୨୩ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲହାନୀ ଘଟିଥିବା ବେଳେ କେବଳ ଏହି ତିନିଟି ଜିଲ୍ଲାରେ ଅଢେଇ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଯାଇଛି ।

ଆଗକୁ ବିଜେପୁର ଉପନିର୍ବାଚନ । ଖୁବଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଯଦି ମରୁଡି ପ୍ୟାକେଜ୍ ଘୋଷଣା ସାମାନ୍ୟ ବିଳମ୍ବ ହୁଏ, ତେବେ ଆଚରଣ ବିଧି ଲାଗୁ ପରେ ତାହା ଆଉ ସମ୍ଭବ ହେବନି । ଏଭଳି ସ୍ଥିତିରେ ପୁଣି ଥରେ ଚାଷୀ ଆତ୍ମହତ୍ୟା ଭଳି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବା ଜରୁରି ହୋଇପଡିଛି । ଏହି ସୁଯୋଗକୁ ଆଦୌ ହାତଛଡା କରିବାକୁ ଚାହିଁବନି ବିଜେଡି । ବରଗଡ ପାଇଁ ମରୁଡି ପ୍ୟାକେଜ ଘୋଷଣା କରି ବିଜେପୁରବାସୀଙ୍କ ଭୋଟ ହାତେଇବା ପାଇଁ ଏହା ହେଉଛି ସୁବର୍ଣ୍ଣ ସୁଯୋଗ ।