ବର୍ଷା ଅଭାବରୁ ବୈାଦ୍ଧ ଜିଲ୍ଲାରେ ମରୁଡି ! ପାଣି ଟୋପେ ପାଇଁ ଜିଲ୍ଲାରେ ଚାଲିଛି ନାମ-ସଂକୀର୍ତନ

44

କନକ ବ୍ୟୁରୋ : ବର୍ଷା ଅଭାବରୁ ବୈାଦ୍ଧ ଜିଲ୍ଲାରେ ଦେଖାଦେଇଛି ମରୁଡି ଭଳି ପରିସ୍ଥିତି । କେଉଁଠି ଜମି ଫାଟି ଅାଁ କଲାଣି ତ କେଉଁଠି ପୁଣି ଚାଷ ଜମିରେ ଗାଇ ଚରୁଛନ୍ତି । ଅନ୍ୟପଟେ ମରୁଡି ଘୋଷଣା ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛି କିଶାନ ସଂଘ ।

ବର୍ଷା ପାଇଁ ପୂଜାର୍ଚ୍ଚନା ଚାଲିଛି । ଇନ୍ଦ୍ରଦେବତାଙ୍କୁ ପୂଜା କରି ସନ୍ତୁଷ୍ଟ କରିବାକୁ ସକୀର୍ତନ ବି ଚାଲିଛି । ବୈାଦ୍ଧ ଜିଲ୍ଲାର ଅଧିକାଂଶ ଅଂଚଳରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳୁଛି । ଜିଲ୍ଲାର ଚାଷୀ ବର୍ଷା ଉପରେ ନିର୍ଭର କରୁଥିବାବେଳେ ଚଳିତ ବର୍ଷ କମ୍ ବୃଷ୍ଟିପାତ ଯୋଗୁଁ ପରିସ୍ଥିତି ଗମ୍ଭୀର ହୋଇପଡିଛି । ବର୍ଷା ଅଭାବରୁ ଚାଷୀ ଚାଷ କାର୍ଯ୍ୟ କରି ନ ପାରି ଜମି ପଡିଆ ପକାଇଥିବାବେଳେ କିଛି ଅଂଚଳରେ ଜମି ଫାଟି ଆଁ କରିଛି । ଫଳରେ ଧାନ କିଆରୀରେ ଫସଲ ହସିବା ଜାଗାରେ ତାହା ବର୍ତମାନ ଗୋରୁଗାଇଙ୍କ ଚରାଭୂଇଁ ପାଲଟିଛି ।

ଜିଲ୍ଲାରେ ମହାନଦୀ ସହ ଅନେକ ଶାଖା ନଦୀ ଥିଲେ ବି ହେଲେ ରାଜନୈତିକ ଇଛା ଶକ୍ତିର ଅଭାବ ହେତୁ ଚାଷ ଜମିଗୁଡିକୁ ଜଳସେଚନ ହୋଇପାରିନାହିଁ । ସେପଟେ ଜିଲ୍ଲାକୁ ମରୁଡି ଘୋଷଣା କରିବା ଦାବୀରେ ଜିଲ୍ଲାର ବିଭିନ୍ନ ବ୍ଲକରେ ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କିଶାନ ସଂଘ । ଅନ୍ୟପଟେ ଜିଲ୍ଲାରେ ଦେଖାଦେଇଥିବା ମରୁଡିକୁ ସହକାରୀ କୃଷି ଅଧିକାରୀ ସ୍ୱୀକାର କରିଛନ୍ତି । ମରୁଡିର ଶୀକାର ହୋଇଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ଧାରକରଜ କରି ଚାଷ କାର୍ଯ୍ୟରେ ଲଗାଇଥିବା ଅର୍ଥ କେମିତି ଶୁଝିବ ସେ ଚିନ୍ତାରେ ଚାଷୀ ।