ବର୍ଷା ଅଭାବରୁ ରାଜ୍ୟରେ ମରୁଡି ସ୍ଥିତି । ୨୭ ଜିଲ୍ଲାରେ କମ ବର୍ଷା ଚାଷୀଙ୍କ ହଜାଇଛି ନିଦ । ନା କେନାଲରେ ଆସୁଛି ପାଣି, ନା ଚାଷ ଜମିରେ ପହଞ୍ଚୁଛି ଜଳ ।

245

କନକ ବ୍ୟୁରୋ: ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଲେ, ଚାଷ ଜମିକୁ ଜଳ ଯୋଗାଇବା ପାଇଁ ଜଳ ସେଚନର ବ୍ୟବସ୍ଥା ରହିଛି । ହେଲେ ରାଜ୍ୟରେ ସ୍ଥିତି ଏମିତି ଯେ ବର୍ଷା ହେଉନଥିବାରୁ ଉଠା ଜଳସେଚନ ପ୍ରକଳ୍ପର କେନାଲ ଗୁଡିକରେ ପାଣି ଆସୁନାହିଁ ଆଉ କେନାଲରେ ପାଣି ଆସୁନଥିବାରୁ ଜଳସେଚିତ ଭାବେ ଚିହ୍ନଟ ଜମିର ଫସଲ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଏହାରାଜ୍ୟ ସରକାରଙ୍କ ଜଳସେଚନ ଯୋଜନା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଏହାଛଡା ବର୍ତ୍ତମାନ ସୁଦ୍ଧା ବହୁ ଜଳସେଚନ ପ୍ରକଳ୍ପ ଅସଂପୂର୍ଣ୍ଣ ହୋଇ ପଡି ରହିଥିବାରୁ ଚାଷୀ ଏହାର ଫାଇଦା ପାଇପାରୁ ନାହାନ୍ତି ।

  • ମରୁଡି ବେଳେ କିଭଳି ରହିଛି ଜଳସେଚନ ବ୍ୟବସ୍ଥା?
  • ଚାଷୀଙ୍କ ପାଇଁ ହୋଇଥିବା ଯୋଜନା ଫେଲ୍ ମାରିଗଲା କି?
  • ଚାଷଜମିରୁ ଆସୁଥିବା ବିକଳ ଚିତ୍ର ଯୋଜନା ଉପରେ ଉଠାଇଲା ପ୍ରଶ୍ନ

ବର୍ଷା ଅଭାବରୁ ଗୋଟିଏ ପଟେ ଶୁଖିଲା ପଡିଛି ଚାଷ ଜମି ଆଉ ଶୁଖିଲା ପଡିଛି କେନାଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗାଁରେ ବର୍ଷା ଅଭାବରୁ ଚାଷୀଙ୍କ ଭେଳା ବୁଡିିଲାଣି । ବର୍ଷା ଅଭାବରୁ ହରିହର ଯୋର ପ୍ରକଳ୍ପର କେନାଲରେ ପାଣି ଆସୁନି । ଫଳରେ ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିର ଫସଲ ନଷ୍ଟ ହେବା ଉପରେ ।

ସେହିପରି କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ପାଖରେ ଇନ୍ଦ୍ରାବତୀ ଉଠାଜଳସେଚନର କେନାଲ ବହି ଯାଉଛି । ହେଲେ ଆଖପାଖର ଜମି କେଉଁଠି ଶୁଖିଲା ପଡିଛି, କେଉଁଠି ଜମି ଫାଟି ଆଁ କଲାଣି, ପୁଣି କେଉଁଠି ଟାଙ୍ଗରା ପାଲିଗଲାଣି । ଭୁଲ ସର୍ଭେ ଯୋଗୁଁ କୋକସରା ବ୍ଲକ ବରାଡଙ୍ଗାର ବହୁ ଚାଷୀ କେନାଲ ପାଖରେ ଥିଲେ ମଧ୍ୟ ପାଣି ପାଇ ପାରୁ ନାହାନ୍ତି । ଲୋକେ ଫସଲ ନଷ୍ଟ ହୋଇଥିବାରୁ ଜମିରେ ଗୋରୁ ଛେଳି ଛାଡି ଦେଲେଣି ।

ରାଜ୍ୟରେ ୩୫% ଜମିକୁ ଜଳସେଚିତ କରିବାକୁ ନିର୍ବାଚନ ଇସ୍ତାହାରରେ ଦୀର୍ଘ ବର୍ଷ ତଳେ ବିଜେଡି ପ୍ରତିଶ୍ରୁତି ଦେଇଥିଲା । ବ୍ଲକ ଭିତ୍ତିକ ଯୋଜନା ଜରିଆରେ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା, ହେଲେ ଏହାର କାର୍ଯ୍ୟକାରିତା ନେଇ ଏବେ ପ୍ରଶ୍ନ ଉଠିଛି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସମସ୍ୟାକୁ ଦୁଇଗୁଣା ବଢାଇ ଦେଇଛି । ସରକାର କହିଛନ୍ତି ୨୦୧୯ ମାର୍ଚ୍ଚ ସୁଦ୍ଧା ୩୧.୩୦ ଲକ୍ଷ ହେକ୍ଟରକୁ ଜମିକୁ ଜଳ ସେଚନ ବ୍ୟବସ୍ଥା କରିଛନ୍ତି । ପ୍ରଶ୍ନ ଉଠୁଛି ଯଦି ସରକାର ଲକ୍ଷ ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଇ ଦେଉଛନ୍ତି । ତେବେ ମରୁଡି ସମସ୍ୟା ଦେଖା ଦେଉଛି କାହିଁକି । ଅନ୍ୟପଟେ ବିଧାନସଭାରେ ରାଜ୍ୟରେ ୧୫୪ଟି ବୃହତ ଜଳସେଚନ ପ୍ରକଳ୍ପ କରିବେ ବୋଲି କହିଥିଲେ ଜଳସଂପଦ ମନ୍ତ୍ରୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନେକ ପ୍ରକଳ୍ପ ଅସଂପୂର୍ଣ୍ଣ ହୋଇପଡି ରହିଛି । ଅନେକ ସ୍ଥାନରେ କେନାଲର ଶେଷ ମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ ।