ପଇଡ଼ ବିକାଳୀଙ୍କ ଦରଦୀ କଥା: ଏ ଗଛ ଆମ ପେଟକୁ ଦାନା ଦେଉଥିଲା, ନିଆଁ ଲଗା ବାତ୍ୟା ନଡ଼ିଆ ଗଛ ସବୁ ଭାଙ୍ଗି ଦେଲାନି ଯେ, ଆମ ପୋଷିଲା ପୁଅକୁ ଛଡ଼େଇନେଲା

170

କନକ ବ୍ୟୁରୋ: ଆପଣଙ୍କ ପାଇଁ ଖାଲି ଇଏ ଗୋଟେ ଗୋଟେ ନଡ଼ିଆ ଗଛ ହେଇପାରେ। ଆମ ପାଇଁ କିନ୍ତୁ ଏମାନେ ଥିଲେ ଜଣେ ଜଣେ ରୋଜଗାରିଆ ପୁଅ। ଘରର ପୋଷିଲା ପୁଅ ଉପରେ ଆମର ସେତିକି ଭରସା ନଥିଲା, ହେଲେ ଏମାନେ ଯେ ଆମ ହାତ କେବେ ଛାଡ଼ିବେନି ସେ ଭରସା ଏମାନଙ୍କ ଉପରେ ଥିଲା। ୟାଙ୍କରି ଯୋଗୁ ଆମ ଭଳି ପନ୍ଦର ଶହ ପରିବାରର ପେଟକୁ ଦାନା ଯାଉଥିଲା। ଏ ନିଆଁ ଲଗା ବାତ୍ୟା ନଡ଼ିଆ ଗଛ ସବୁ ଭାଙ୍ଗି ଦେଲାନି ଯେ, ଆମ ପୋଷିଲା ପୁଅକୁ ଛଡ଼େଇନେଲା। ନିଜଆଡ଼ୁ ଏମିତି ଦରଦୀ ଅଭିବ୍ୟକ୍ତି ରଖିଥିଲେ ପୁରୀର ପଇଡ଼ ଦୋକାନ ବ୍ୟବସାୟୀ। ଫୋନିର ମାଡ଼ରେ କିନ୍ତୁ ନଡ଼ିଆ ଗଛ ଏବେ ନିସ୍ତେଜ। ୪୦ ପ୍ରତିଶତ ଗଛ କନ୍ଦା ମୋଡ଼ି ହୋଇଯାଇଛି ନଚେତ୍ ଭାଙ୍ଗିଯାଇଛି। ତେଣୁ କିଛି ମାସ ପରେ ପଇଡ଼ ମିଳିବା ଯେ ମୁସ୍କିଲ୍ ହୋଇଯିବ ଭବିଷ୍ୟବାଣୀ କରିସାରିଲେଣି ଏହି ପଇଡ଼ ବ୍ୟବସାୟୀମାନେ।

ଶ୍ୟାମ ଭୋଇ ନାମକ ଜଣେ ପଇଡ଼ ଦୋକାନୀ କୁହନ୍ତି, ବନ୍ୟା, ବାତ୍ୟା ଦାଉରୁ ବର୍ଷକୁ ୩ ଥର ଧାନ ଧୋଇଗଲେ ଯେତିକି ବାଧେନି ନଡ଼ିଆ ଗଛକୁ ଥରେ ବାତ୍ୟା ମାଡ଼ ହେଲେ ତା’ଠୁ ବେଶି ବାଧେ। ଦିନେ ଏଇ ମହାବାତ୍ୟାରେ ସବୁ ଗଛର ଅଣ୍ଟା ଭାଙ୍ଗିଯାଇଥିଲା। ସେଇଦିନରୁ ଏମିତି ରୋଗ ଧରିଲା ଯେ ଗଛରେ ଫଳ କମିଗଲା। ତା’ପରେ ଦାଉ ସାଧିଥିଲା ମୋବାଇଲ୍ ଟାୱାରର ବିକିରଣ। ଏହି ବିକିରଣ କୋପରେ ପଇଡ଼, ନଡ଼ିଆରେ ଯାଦୁଆ ମାରିଗଲା। ହେଲେ ବି ଫଳ ଭଲ ଧରୁଥିଲା। ଏବେ କିନ୍ତୁ ସେତକ ବି ମିଳିବ ନାହିଁ। କେରଳ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ିବ। ପଇଡ଼ ଗୋଟେ କେରଳରୁ ଏଠି ପହଞ୍ଚିବା ବେଳକୁ ଯେ ୫୦ ଟଙ୍କା ନହେବ କିଏ କହିବ?

ଏହାଦ୍ୱାରା କେବଳ ପଇଡ଼ ବ୍ୟବସାୟୀଙ୍କର ଭାତ ହାଣ୍ଡି ଉଜୁଡ଼ି ଯାଇନି, ବରଂ ପଇଡ଼ ତୋଳୁଥିବା ଏବଂ ପଇଡ଼ ଆଣି ବିକ୍ରି ପାଇଁ ଟ୍ରଲି କିମ୍ବା ଗାଡ଼ିରେ ପହଞ୍ଚାଉଥିବା ଲୋକଟିର ରୋଜଗାର ବି ବାଧାପ୍ରାପ୍ତ ହୋଇଛି। ଖାଲି ଏତିକି ନୁହେଁ, କତା ଶିଳ୍ପ ବି ଏହା ଦ୍ୱାରା ପ୍ରଭାବିତ ହେବ ବୋଲି ଭବିଷ୍ୟବାଣୀ ହେଲାଣି। ଗଛରେ ନଡ଼ିଆ ନଥିବାରୁ ନଡ଼ିଆ କତାରୁ ପ୍ରସ୍ତୁତ କତା ଶିଳ୍ପ ପ୍ରସ୍ତୁତିରେ ନିୟୋଜିତ ଶହଶହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହେବ। ଶ୍ୟାମ କୁହନ୍ତି, ନଡ଼ିଆ ଗଛ ଥିଲା ବୋଲି ଆମେ ମାସକୁ ୫-୧୦ ହଜାର ଆୟ କରୁଥିଲୁ। ସେଇଥିରେ ପରିବାର ଚଳି କିଛି ସଞ୍ଚି ଦଉଥିଲୁ। କିନ୍ତୁ ଆଉ ୨ ମାସ ପରେ ହାତ ବନ୍ଦ ହୋଇଯିବ। ଏ ଗଛ ଆମକୁ ଯେତିକି ଦେଇଛି, ତା’ର ଏ ଅବସ୍ଥା ଦେଖିଲେ ଦେହ ସହୁନି। ଆମକୁ ରୋଗ ହେଲେ ତାକୁ ହୁଏତ ଆମେ ମେଡିକାଲ୍ ନେଇଯାଇପାରିବା। ମାତ୍ର ଏମାନକୁ ଯୋଉ ବାଧା ହେଇଛି ତାଙ୍କ ଦେହର କଷ୍ଟ କିଏ ବୁଝିବ। ସିଏ ତ କାହାକୁ କହିପାରେନି।

Comments are closed.