କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହେବ ଡ୍ରପ୍ ବା ଡାଏବେଟିକ୍ ରେଟିନୋପାଥି ଓଡ଼ିଶା ପ୍ରୋଜେକ୍ଟ ଆପ୍। କେଉଁ ସ୍ଥାନରେ ଚକ୍ଷୁଜନିତ ସମସ୍ୟାର ଚିକିତ୍ସା ହେଉଛି ଓ କେଉଁ ଡାକ୍ତର ଏହାର ଚିକିତ୍ସା କରିବେ, ଏହାର ସୂଚନା ରୋଗୀ ପାଇପାରିବେ ଏହି ଆପ୍ ଜରିଆରେ। ବିଶ୍ୱ ଚକ୍ଷୁ ଯତ୍ନ କାର୍ୟ୍ୟକ୍ରମ ଜରିଆରେ ରାଜ୍ୟରେ ଏଭଳି ଏକ ଆପ୍ ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ। ପ୍ରଥମ ପର୍ଯ୍ୟ।ୟରେ ରାଜଧାନୀରେ ଏହାକୁ ପରୀକ୍ଷଣ କରାଯିବ। ପରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହା କାର୍ଯ୍ୟକାରୀ ହେବ। ଏହାସହ ଚକ୍ଷୁରୋଗୀଙ୍କୁ ମାଗଣାରେ ରୟାନିବିଜୁମାବ ଇଞ୍ଜେକସନ୍ ଦିଆଯିବ ବୋଲି ଜଣାପଡ଼ିଛି।

Advertisment

Resize-of-slide-2ମିଳିଥିବା ସୂଚନା ଅନୁଯାୟୀ, ଦେଶ ତଥା ରାଜ୍ୟରେ ଏବେ ମଧୁମେହ ଜନିତ ଦୃଷ୍ଟିହୀନତା ବଢ଼ିବାରେ ଲାଗିଛି। ମଧୁମେହ ଯୋଗୁଁ ଅନେକ ଲୋକ ଚକ୍ଷୁ ହରାଉଥିବା ସଂପର୍କରେ ଅଜଣା ରହିଛନ୍ତି। ଫଳରେ ଚିକିତ୍ସା ବେଳକୁ ବହୁତ ଡେରି ହୋଇଯାଉଛି। ତେଣୁ ମଧୁମେହ ଜନିତ ଦୃଷ୍ଟିହୀନତାକୁ ଦୂର କରିବା ପାଇଁ ଏନଆଇସି ସହାୟତାରେ ଏକ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପରେ ଚକ୍ଷୁ ରୋଗୀଙ୍କ ଡାଟାବେସ୍ ରହିବ। ଆପକୁ ଡାଉନଲୋଡ୍ କରିବା ପରେ ଜଣେ ବ୍ୟକ୍ତି ଏଥିରେ ନିଜ ନାମକୁ ପଞ୍ଜୀକରଣ କରାଇବାକୁ ପଡ଼ିବ। ନିକଟସ୍ଥ କେଉଁ ଡାକ୍ତରଖାନାରେ ଏଥିପାଇଁ ଚିକିତ୍ସା କରାଯାଉଛି ଓ ବ୍ୟବହାରୀ କେଉଁ ଡାକ୍ତରଖାନାକୁ ପସନ୍ଦ କରୁଛନ୍ତି ତାହାକୁ ଚୟନ କରିବେ।

Eye-Drops-530x640ଏହାସହ ଡାକ୍ତରଙ୍କ ଚୟନ ଓ କେଉଁ ତାରିଖରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିବେ, ସେ ସଂପର୍କରେ ମଧ୍ୟ ରୋଗୀଙ୍କୁ ଚୟନ କରିବାର ସୁଯୋଗ ମିଳିବ। ଫଳରେ ଜଣେ ବ୍ୟକ୍ତି ନିୟମିତ ଭାବେ ନିଜର ଚକ୍ଷୁର ଚେକ୍ ଅପ କରିପାରିବେ। ଏହାଦ୍ୱାରା ପରବର୍ତୀ ସମୟରେ କେଉଁ ଚକ୍ଷୁ ରୋଗୀମାନେ ଅଧାରୁ ଚିକିତ୍ସା ଛାଡ଼ୁଛନ୍ତି କିମ୍ବା ଠିକରେ ଚିକିତ୍ସା କରୁନାହାନ୍ତି ସେମାନଙ୍କର ଫଲୋଅପ୍ ସହଜରେ କରାଯାଇପାରିବ। ଯାହାକି ଚିକିତ୍ସା ହୋଇପାରୁଥିବା ଦୃଷ୍ଟିହୀନତା ଦୂରୀକରଣରେ ସହାୟକ ହେବ। ପ୍ରଥମେ କେବଳ ସରକାରୀ ଡାକ୍ତରଖାନାକୁ ଏଥିରେ ସାମିଲ କରାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଏଥିରେ ବେସରକାରୀ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ସାମିଲ କରାଯିବ ବୋଲି ସୂଚନା ମିଳିଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ମଧୁମେହରେ ଆକ୍ରାନ୍ତ ରୋଗୀ ବ୍ୟକ୍ତିଙ୍କ ରେଟିନାରେ ପାଣି ଜମିଥାଏ। ଫଳରେ ଚକ୍ଷୁ ନଷ୍ଟର ଆଶଙ୍କା ରହିଛି। ଏଥିପାଇଁ ଦିନକୁ ଦିନ ଅସ୍ତ୍ରୋପଚାର ମାତ୍ରା ବଢ଼ିବଢ଼ି ଚାଲିଛି। ତେବେ ମଧୁମେହରେ ଆକ୍ରାନ୍ତ ହୋଇଥିବା ଓ ଚକ୍ଷୁ ସମସ୍ୟା ଥିବା ବ୍ୟକ୍ତିଙ୍କୁ ରୟାନିବିଜୁମାବ ଇଞ୍ଜେକସନ୍ ମାଗଣାରେ ଦିଆଯିବ। ଏହାର ଦାମ୍ ବଜାରରେ ପ୍ରାୟ ୧୫ହଜାର ଟଙ୍କା ରହିଛି। ମାଗଣାରେ ଏହି ଇଞ୍ଜେକସନ୍ ଦିଆଯିବା ଫଳରେ ଅନେକ ଗରିବ ଲୋକ ଉପକୃତ ହେବେ । ଏହାସହ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ ଚାଳିଶା ଚଷମା ମଧ୍ୟ ମାଗଣାରେ ପ୍ରଦାନ କରାଯିବ। ଏଥିପାଇଁ ସାଇଟ ସେଭର ଇଣ୍ଟରନାସନାଲ ସହ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇଛି। ଏହି ସଂସ୍ଥା ରାଜ୍ୟର ୧୫ଟି ଜିଲ୍ଲାରେ ଚାଳିଶା ଚଷମା ବଣ୍ଟନ କରିବ। ମାନବ ସମ୍ବଳ ଯୋଗାଇ ଦେବା ସହ ଚଷମାର ଅନ୍ୟାନ୍ୟ ଉପକରଣ ମଧ୍ୟ ଦେବ ବୋଲି ବରିଷ୍ଠ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।