ଡ୍ରୋନ୍ ଆକ୍ରମଣ ପଛରେ ରହିଛି ପାକିସ୍ତାନର ହାତ । ସେପଟେ ଆଜି ପୁଣି ଜମୁ ଆକାଶରେ ୮ଶହ ମିଟରରୁ କମ୍ ଉଚ୍ଚତାରେ ଉଡିଲା ଅଜଣା ଡ୍ରୋନ, ସେନା କ୍ୟାମ୍ପ ନିକଟ ୩ଟି ସ୍ଥାନରେ ଦେଖାଗଲା ଗତିବିଧି । 

249

କନକ ବ୍ୟୁରୋ : ଜମ୍ମୁ ଡ୍ରୋନ୍ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କହିଛନ୍ତି ଭାରତୀୟ ସେନାର ବରିଷ୍ଠ ଅଧିକାରୀ । ଲେଫ୍ଟନାଂଟ୍ ଜେନେରାଲ୍ ଡିପି ପାଣ୍ଡେ କହିଛନ୍ତି ଡ୍ରୋନ୍ ଭଳି ଟେକ୍ନୋଲୋଜିର ବ୍ୟବହାର କରି ଆକ୍ରମଣର ନୂଆ ବାଟ ପ୍ରସ୍ତୁତ କରିଛି ପାକିସ୍ତାନ । ସେ ଏନେଇ ପାକିସ୍ତାନର ଆତଙ୍କୀ ଅନୁଷ୍ଠାନ ଜୟ-ଇ-ମହମ୍ମଦ ଏବଂ ଲସ୍କର-ଇ-ତୋଇବା କୁ ମଧ୍ୟ ଦାୟୀ କରିଛନ୍ତି । ସେପଟେ ଡ୍ରୋନ୍ ଆକ୍ରମଣ ଏବଂ ବାରମ୍ବାର ଜମ୍ମୁ ଆକାଶରେ ଡ୍ରୋନ୍ ଉଡିବା ପରେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୀମାବର୍ତୀ ଅଂଚଳ ଗୁଡିକରେ ଡ୍ରୋନ୍ ଉଡାଣକୁ ବ୍ୟାନ୍ କରାଯାଇଛି । ରଜୋରୀ ରେ ଡ୍ରୋନ ଏବଂ କୌଣସି ବି କମ୍ ଉଚ୍ଚତାରେ ଉଡୁଥିବା ବସ୍ତୁକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି ।

ସେପଟେ ଜାମ୍ମୁ ଡିଫେନ୍ସ କ୍ୟାମ୍ପ ନିକଟରେ ପୁଣି ଦେଖାଗଲା ଡ୍ରୋନ୍ । ଆଜି ଭୋରରୁ ୩ଟି ସ୍ଥାନରେ ଅଜଣା ଡ୍ରୋନ୍ ଉଡୁଥିବା ଦେଖାଯାଇଛି । ଜାମ୍ମୁର କୁଲଚୌକ, ମୀରା ସାହିବ ଓ କୁଞ୍ଜବାଣୀ ଅଂଚଳରେ ଡ୍ରୋନ୍ ଗତିବିଧି ଦେଖାଯାଇଛି । ତେବେ ଚିନ୍ତାର ବିଷୟ ହେଉଛି, ଏହି ଗତିବିଧି ପ୍ରିତରକ୍ଷା ପ୍ରତିଷ୍ଠାନର ଆଖପାଖ ଅଂଚଳରେ ହେଉଛି ।

ପୁଣି ଜମ୍ମୁ ଆକାଶରେ ଉଡିଲା ଅଜଣା ଡ୍ରୋନ୍ । ୪ଦିନରେ ସୀମାରେ ୭ଟି ଡ୍ରୋନର ଗତିବିଧି । ବୁଧବାର ପୁଣିଥରେ ଜମ୍ମୁ ଆକାଶରେ ଅଜଣା ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଛି । ଭୋର ପ୍ରାୟ ୪ଟା ୪୦ରେ କୁଲଚୌକର ଗୌସ୍ୱାମୀ ଏନକ୍ଲେଭ ନିକଟରେ ଗୋଟିଏ ଡ୍ରୋନ ଦେଖାଯାଇଥିବାବେଳେ ୪ଟା ୫୨ରେ କୁଞ୍ଜବାଣୀ ଅଂଚଳରେ ଏୟାରଫୋର୍ସ ସିଗ୍ନାଲ ନିକଟରେ ଅନ୍ୟ ଏକ ଡ୍ରୋନ ଦେଖିବାକୁ ମିଳିଛି । ଡ୍ରୋନଟି ୮ଶହ ମିଟର ଉଚ୍ଚତାରେ ଉଡୁଥିବାରୁ ଏହାର ଗତିବିଧି ଅଧିକ ସନ୍ଦେହଜନକ ହୋଇପଡିଛି । ଗତ ୪ ଦିନ ଭିତରେ ପ୍ରାୟ ୭ଟି ଡ୍ରୋନର ଗତିବିଧି ଦେଖିବାକୁ ମିଳିଲାଣି ।

ଜମ୍ମୁ ଏୟାରପୋର୍ଟ ଷ୍ଟେସନରେ ଶନିବାର ହୋଇଥିବା ଡ୍ରୋନ୍ ଆକ୍ରମଣ ପରଠାରୁ ସୁରକ୍ଷା ଏଜେନ୍ସି ସଜାଗ ହୋଇ ପଡିଛନ୍ତି । ଘଟଣାର ତଦନ୍ତ ଏନଆଇଏକୁ ଦିଆଯାଇଛି । ଆଉ ଏହି ଆକ୍ରମଣ ପଛରେ ଲସ୍କର ଲିଙ୍କ ଥିବା ସନ୍ଦେହ କରାଯାଉଛି ।

ସୋମବାର ବିଳମ୍ବିତ ରାତିରେ ଜାମ୍ମୁର ସୁଞ୍ଜୁଆନ ମିଲିଟାରୀ ବେସ ନିକଟରେ ଡ୍ରୋନ ଉଡୁଥିବା ଦେଖାଯାଇଥିଲା । ଜାମ୍ମୁର ସାମରିକ ସ୍ଥାନ ଗୁଡିକ ଉପରେ ଡ୍ରୋନ୍ ଆକ୍ରମଣ ଘଟଣା ଜାମ୍ମୁରେ ଆଗକୁ ଆତଙ୍କବାଦୀ ବଡ ଅଘଟଣ ଯୋଜନାରେ ଥିବା ଆଶଙ୍କା କରାଯାଉଛି । ଘଟଣାରେ ଡ୍ରୋନ୍ ବ୍ୟବହାର ପରଠାରୁ ଏହି ଆଶଙ୍କା ଅଧିକ ହୋଇଛି  ।

ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଏବଂ ଅନ୍ତରାଷ୍ଟ୍ରୀୟ ସୀମା ମଧ୍ୟରେ ଆକାଶମାର୍ଗର ଦୁରତା କେବଳ ୧୪ କିଲୋମିଟର । ଏହି ଅଂଚଳରେ ସେନାର ଅନେକ ବେସ୍ କ୍ୟାମ୍ପ ରହିଛି । ଆଉ ଆତଙ୍କବାଦୀ ସେନାର ଏହି ସବୁ କ୍ୟାମ୍ପ ଗୁଡିକୁ ଡ୍ରୋନ୍ ସାହାଯ୍ୟରେ ଟାର୍ଗେଟ୍ କରୁଛନ୍ତି ।

ଶନିବାର ରାତିରେ ଜାମ୍ମୁ ବାୟୁସେନା ଷ୍ଟେସନରେ ଡ୍ରୋନ ଆକ୍ରମଣକୁ ନେଇ ମଙ୍ଗଳବାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସୁରକ୍ଷା ସ୍ଥିତି ଓ ବିଦେଶୀ ଡ୍ରୋନ୍ ନେଇ ଭାରତର ନୀତି ବାବଦରେ ଆଲୋଚନା ହୋଇଛି । ପ୍ରାୟ ୨ ଘଂଟା ଧରି ଆଲୋଚନା ହେଇଥିବାବେଳେ ସରକାର ସ୍ୱତନ୍ତ୍ର ଡ୍ରୋନ ନୀତି ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।