ଭୁବନେଶ୍ୱରରେ ଜାରି ରହିଛି ବିଶୋଧନ ପ୍ରକ୍ରିୟା: ପଳାଶୁଣିରେ ଡ୍ରୋନ ସାହାଯ୍ୟରେ ରାତି ସମୟରେ କରାଗଲା ବିଶୋଧନ

ସେପଟେ, ଭୁବନେଶ୍ୱରରେ କୋହଳ ହେଲା ତାଲାବନ୍ଦ କଟକଣା

181

କନକ ବ୍ୟୁରୋ: କରୋନା ସଂକ୍ରମଣ ଏବଂ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବିଶୋଧନ ପ୍ରକ୍ରିୟା । ଏହି କ୍ରମରେ ଗତକାଲି ରାତିରେ ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନ, ବିଏମସି ପକ୍ଷରୁ ରାଜଧାନୀର ପଳାଶୁଣି ଅଂଚଳରେ ବିଶୋଧନ କରାଯାଇଥିଲା । ଦମକଳ ଗାଡି ମାଧ୍ୟମରେ ସାଧାରଣତ ବିଶୋଧନ କରାଯାଉଥିବା ବେଳେ ପଳାଶୁଣି ଅଂଚଳରେ ଡ୍ରୋନ ମାଧ୍ୟମରେ ହୋଇଥିଲା ଏହି ବିଶୋଧନ ।

କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହୋଇଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛି ବିଏମସି । ଏନେଇ ଗାଇଡଲାଇନ୍ ଜାରି କରିଛି । ନଜର ପକାନ୍ତୁ ବିଏମ୍ସି ଭିତରେ କଣ କଣ ଖୋଲା ରହିବ । ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ଯଥା, ଫ୍ୟାନ୍, ଏସି, କୁଲର, ୱାଟର ପ୍ୟୁରିଫାୟର, ମୋବାଇଲ ଫୋନ, କମ୍ଫ୍ୟୁଟର ମରାମତି ଓ ସର୍ଭିସିଂ ସେଂଟର ଖୋଲା ରହିବ । ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ଟାୟାର ଓ ମୋଟର ପାର୍ଟ ସପ୍ ଏବଂ ଲୁବ୍ରିକାଂଟ ସପ ଖୋଲା ରହିବ । ବହି ଏବଂ ଷ୍ଟେସନାରୀ ଦୋକାନ ବି ଖୋଲିବ । ରେଷ୍ଟୁରାଂଟ ଖୋଲିବ ତେବେ ଗ୍ରାହକ କେବଳ ଅନଲାଇନ୍ ଅର୍ଡର କରିପାରିବେ । ସେହିପର ଆମାଜନ, ଫ୍ଲିପକାର୍ଟ, ବ୍ଲୁଡାର୍ଟ, ବିଗ୍ ବାସ୍କେଟ୍, ଜୋମାଟୋ, ମିନତ୍ରା, ସ୍ପିଗି, କେଏଫସି, ପିଜା ହଟ୍ ଏବଂ ଡୋମିନୋ ଭଳି ସଂସ୍ଥା ଡେଲିଭରି ଜାରି ରଖିପାରିବେ ।

ବିଗ୍ ବଜାର, ରିଲାଏନ୍ସ ଫ୍ରେସ, ଓମଫେଡ୍, ଅପୋଲଫେଡ୍, ଚିଲିକା ଫ୍ରେସ ଖୋଲା ରହିବ । ବ୍ୟାଙ୍କ, ଏଟିଏ. କେବଲ ସର୍ଭିସ, ଡିଟିଏଚ ଏବଂ ଅପଟିକାଲ୍ ଫାଇବର ମଧ୍ୟ ଖୋଲା ରହିବ । ପେଟ୍ରୋଲ ପମ୍ପ, ଏଲପିଜି ଓ ଗ୍ୟାସ୍ ଏଜେନ୍ସି ଖୋଲିବ । ଲକଡାଉନରେ ଫସିଥିବା ପର୍ଯ୍ୟଟକ ଓ ମେଡିକାଲ ଏମର୍ଜେନ୍ସି ଥିବା ଲୋକଙ୍କ ପାଇଁ ହୋଟେଲ ଓ ଲଡ୍ଜ ଖୋଲା ରହିବ । ଇଲେକ୍ଟ୍ରିସିଆନ୍, ଆଇଟି, ପାଇପ ମିସ୍ତ୍ରୀ ଏବଂ ମୋଟର ମେକାନିକ୍ କାମ କରିପାରିବେ । ରାଜ୍ୟ ଭିତରର ଶ୍ରମିକଙ୍କୁ ନେଇ ନିର୍ମାଣ କାର୍ଯ୍ୟ ଜାରି ରହିବ । ଶିଳ୍ପ ସଂସ୍ଥାର ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ ।

ବିଏମସି ଭିତରେ କଣ କଣ ବନ୍ଦ ରହିବ ?

ମାର୍କେଟ କମ୍ପେ୍ଲକ୍ସ, ସପିଂ ମଲ, ଜିମ୍, ଗେମ୍ ପାର୍ଲର, ସେଲୁନ, ସ୍ପା, ବ୍ୟୁଟି ପାର୍ଲର, ମସାଜ ପାର୍ଲର ବନ୍ଦ ରହିବ । ସେହିପରି ପାନ ଦୋକା, ଚା ଓ କଫି ଦୋକାନ, ଫାଷ୍ଟଫୁଡ, ଟିଫିନ ଓ ଜୁସ୍ ସେଂଟର ବନ୍ଦ ରହିବ । ଦୋକାନ ଭିତରେ ୫ ଜଣରୁ ଅଧିକ ଗ୍ରାହକ ରହିପାରିବେ ନାହିଁ । ସାମାଜିକ ଦୂରତା ରଖିବେ ଏବଂ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ । ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନକୁ ବାଦ ଦେଇ ଅନ୍ୟ ଦୋକାନ ସକାଳ ୮ଟାରୁ ୬ ଟା ଯାଏ ଖୋଲିବ ।