ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାର ବଡ ପ୍ରସ୍ତୁତି, ଡ୍ରୋନ ଗ୍ରୀଡ ମାଧ୍ୟମରେ ଶତୃ ଉପରେ ରଖିବ ନଜର

119

କନକ ବ୍ୟୁରୋ : ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରକୁ ଟାର୍ଗେଟ କରିବା ପରେ ଏବେ ଭାରତୀୟ ସୁରକ୍ଷା ବଳ ଓ ପ୍ରଶାସନ ସଜାଗ ହୋଇଛି । ଘାଟିରେ ରହୁଥିବା ଅଣ କାଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ସୁରକ୍ଷବଳ ତରଫରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ ଗ୍ରୀଡର ବ୍ୟବସ୍ଥା କରାଯାଇଛି । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି କି ଏବେ କାଶ୍ମୀର ପୋଲିସ ଓ ସିଆରପିଏଫ ମିଳିତ ଭାବେ ଡ୍ରୋନ ମାଧ୍ୟମରେ ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖିବେ । ସେ କହିଛନ୍ତି କି କାଶ୍ମୀର ଏଭଳି ୧୫ ଟି ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠାରେ ଅଳ୍ପ ସଂଖ୍ୟକ ହିନ୍ଦୁ ଓ ଶୀଖ୍ ରହୁଛନ୍ତି । ବିଶେଷ କରି ସେହି ସ୍ଥାନଗୁଡିକର ସୁରକ୍ଷା ଡ୍ରୋନ ସହାୟତାରେ କରାଯିବ ।

ସେ ଆହୁରି କହିଛନ୍ତି କି, ପ୍ରଥମଥର ପାଇଁ ଜମ୍ମୁ-କାଶ୍ମୀରରେ ଡ୍ରୋନ ଗ୍ରୀଡ ମାଧ୍ୟମରେ ସୁରକ୍ଷାକୁ ସୁନିଶ୍ଚିତ କରାଯିବ । କହିରଖୁ ପୂର୍ବ ୩ ସପ୍ତାହ ମଧ୍ୟରେ ଆତଙ୍କବାଦୀମାନେ ୧୧ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି    । ଏହି ଘଟଣା ପରେ ପୁରା କାଶ୍ମୀର ଘାଟିରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଡ୍ରୋନ ଗ୍ରୀଡ ମାଧ୍ୟମରେ ସଂପୃକ୍ତ ଅଞ୍ଚଳ ଉପରେ ନଜର ରଖାଯିବ । ଏହି ଗ୍ରୀଡରେ ଅନେକ ଡ୍ରୋନ ନିୟୋଜିତ କରାଯିବ । ଯେଉଁ ଡ୍ରୋନଗୁଡିକ ସମ୍ବେଦନଶୀଳ ଅଞ୍ଚଳରୁ ଲାଇଭ୍ ଭିଡିଓ କଣ୍ଟ୍ରୋଲ ରୁମକୁ ପହଂଚାଇବେ । ଏହାଦ୍ୱାରା ସେହି ଅଞ୍ଚଳରେ ସଂଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ସୁରକ୍ଷା ବଳ । କିଛି ସଂଦିଗ୍ଧଙ୍କ ଗତିବିଧି ଉପରେ ସନ୍ଦେହ ଆସିଲେ ତୁରନ୍ତ ସେହି ଅଞ୍ଚଳରେ ଥିବା ସୁରକ୍ଷା କର୍ମୀଙ୍କୁ ସୂଚନା ଦିଆଯିବ । ଫଳରେ ଆକ୍ରମଣ ପୂର୍ବରୁ ଆତଙ୍କବାଦୀଙ୍କ ଉପରେ ଆକ୍ସନ ନେଇପାରିବ ସୁରକ୍ଷା ବଳ ।

ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଅକ୍ଟୋବର ୨୩ ରୁ ୨୫ ତାରିଖ ଜମ୍ମୁ-କାଶ୍ମୀର ଗସ୍ତରେ ରହିବେ । ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ସେଠିକାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଅନୁଛେଦ ୩୭୦ ଓ ୩୫(କ) ଉଚ୍ଛେଦ ପରେ ଏହା ଗୃହମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କାଶ୍ମୀର ଗସ୍ତ ।