କନକ ବ୍ୟୁରୋ: ମା’ ଓ ମମତା, ଏମିତି ଦୁଇଟି ଶବ୍ଦ, ଯାହାର ମୂଲ୍ୟ କେହି କେବେ ଆକଳନ କରିପାରିନାହାଁନ୍ତି । ସେହି ଅମୂଲ୍ୟ ରତ୍ନ, ମା’ ଯେତେବେଳେ ଅଘଟଣରେ ପରପାରିକୁ ଚାଲିଯାଇଥିଲେ, ଯେମିତି ନାବାଳକ ପୁଅର ଛାତି ଫାଟି ଯାଇଥିଲା । ପୁଅଟି ମୁଣ୍ଡରେ ଦୁଃଖର ପାହାଡ଼ ହୋଇ ଛିଣ୍ଡିପଡ଼ିଥିଲା, ମା’ର ମୃତ୍ୟୁର ଖବର ।

Advertisment

ଦାରିଦ୍ର୍ୟର ତାଡ଼ନା ଭିତରେ କେମିତି ହେବ ମା’ର ସଂସ୍କାର, କ’ଣ ହେବ ଭବିଷ୍ୟତ, ଭାବିଲା ବେଳକୁ ମୁଣ୍ଡ ବୁଲାଇଯାଇଥିଲା । ଗାଁର କିଛି ସାଙ୍ଗ-ସାଥୀ, ମା’ର ଅନ୍ତିମ ସଂସ୍କାର ପାଇଁ ଭିକ୍ଷା ମାଗି ଟଙ୍କା ଯୋଗାଡ଼ କରିଥିଲେ ସତ । ହେଲେ ମା’ର ଶବ ଘରକୁ ପହଞ୍ଚିବା ପୂର୍ବରୁ ପୁଅ ବାଛିନେଲା ଅଫେରା ବାଟ । ସ୍ନେହରେ ଯେଉଁ ଶାଢ଼ୀରେ ଦିନେ ପୁଅ ମୁହଁ ପୋଛି ଦେଉଥିଲେ ମା’, ସେହି ଶାଢ଼ୀରେ ଝୁଲିପଡ଼ିଲେ ପାଟଣାଗଡ଼ କାନୁଟ ଗାଁର ଦ୍ରୋଣ ମହାକୁଡ଼ ।

  • ଅଘଟଣରେ ଆଖି ବୁଜି ଦେଲେ ମା’
  • ମା'ଙ୍କ ଶାଢ଼ୀରେ ଝୁଲି ପଡ଼ିଲା ପୁଅ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆସିଥିବା ଏହି ଖବରଟି ଯେତେ ଦୁଃଖଦାୟକ, ଖବର ପଛର କାହାଣୀ ଯେତେ ଯନ୍ତ୍ରଣା ଦାୟକ । କାନୁଟ ଗାଁରେ ଗତ ୧୦ ତାରିଖରେ ଅଦାବରୀଆ ପରିବାରରେ ଘଟିଥିଲା ଏକ ଅଘଟଣ । ଗ୍ୟାସ୍ ଟାଙ୍କି ପାଇପରେ ନିଆଁ ଲାଗିଯିବାରୁ ଘରର ୫ଜଣ ଏବଂ ପଡ଼ୋଶୀ ଘରର ଜଣେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ କଂଟାବାଞ୍ଜି, ପରେ ବଲାଙ୍ଗୀର ହସ୍ପିଟାଲ ନିଆଇଥିଲା । ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଇଥିଲା । ହେଲେ ଜଣଙ୍କ ପରେ ଜଣେ ଅଦାବରୀଆ ପରିବାରର, ମହେଶ୍ୱର ଅଦାବରୀଆ, ଭାନୁମତି ଅଦାବରୀଆ ଏବଂ ଭୈରବୀ ଅଦାବରୀଆଙ୍କ ମୃତ୍ୟୁ ହୋଇଥିଲା । ସେହିପରି ତାଙ୍କ ଘରକୁ ଟିଭି ଦେଖିବାକୁ ଯାଇ ଗୁରୁତର ହୋଇଥିବା ମାଳତୀ ମୁହାକୁଡ଼ଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଆଉ ଆତ୍ମହତ୍ୟା କରିଥିବା ଦ୍ରୋଣ ମହାକୁଡ଼ ହେଉଛନ୍ତି ମୃତ ମାଳତୀଙ୍କ ପୁଅ ।

ଗୋଟିଏ ଅଘଟଣ ଦୁଇ ଦୁଇଟି ପରିବାରକୁ ଉଜାଡ଼ି ଦେଇଛି । ପ୍ରଶାସନ ସିନା ସହାୟତାର କିଛି ଟଙ୍କା ଦେଇ ଦାୟୀତ୍ୱ ସାରି ଦେଇଛି, ହେଲେ ଏହି ଘଟଣା ପାଟଣାଗଡ଼ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।