ବିନା ହେଲମେଟରେ ଟୁଇନ ସିଟିରେ ଆନ୍ଦୋଳନରେ ସାମିଲ ହୋଇଥିଲେ ଗାଡି ଚାଳକଙ୍କୁ ପଡିବ ମହଙ୍ଗା: ସିସିଟିଭିରେ କଏଦ ହୋଇଛି ଚିତ୍ର; ବିକ୍ଷୋଭକାରୀଙ୍କ ଘରକୁ ଯିବ ଇ-ଚାଲାଣ

ଟୁଇନ୍ ସିଟିରେ ୧୦୦ ଅଟକ

144

କନକ ବ୍ୟୁରୋ : ସାରା ଭାରତବର୍ଷର କୃଷକ ମାନଙ୍କ ଡାକରାରେ ଆଜି ଭାରତ ବନ୍ଦ ପାଳନ କରାଯାଉଛିି । ଏନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦକୁ କୃଷକ ସଂଗଠନ ମାନଙ୍କ ବ୍ୟତିତ ବିଭିନ୍ନ ରାଜନୈତିକ ଦଳ ବି ସମର୍ଥନ ଜଣାଇଛନ୍ତି । ଏନେଇ ସକାଳୁ ଆରମ୍ଭ ହୋଇଥିଲା ପିକେଟିଂ । କିଛି କିଛି ସଂଗଠନ ପାଦରେ ଚାଲି ଚାଲି ଦୋକାନ ବଜାର, ପେଟ୍ରୋଲ ପମ୍ପ ଓ ରେଳ ରୋକ କରୁଥିବା ବେଳେ କିଛି ସଂଗଠନ ମୋଟର ସାଇକେଲରେ ରାଲି କରି ପ୍ରତିବାଦ ଜଣାଇଛନ୍ତି । ହେଲେ ଏହି ମୋଟରସାଇକେଲ ରାଲିରେ ଯୋଗ ଦେଇଥିବା ଲୋକମାନଙ୍କ ମଧ୍ୟରୁ କିଛି ଲୋକ ବିନା ହେଲାମେଟ୍ ରେ ଗାଡି ଚଳାଉଥିବା ସିସିଟିଭିରେ କଏଦ ହୋଇଛି ।

ଏହି ସିସିଟିଭି ଆଧାରରେ ବିନା ହେଲମେଟ୍ ରେ ବାଇକ ରାଲି କରୁଥିବା ଚାଳକ ମାନଙ୍କୁ ଏବେ ମହଙ୍ଗା ପଡିବ । ବିନା ହେଲମେଟ୍ ରେ ବାଇକରେ ବୁଲି ବନ୍ଦ ପାଳନ କରୁଥିବା ଲୋକମାନଙ୍କୁ ସିସିଟିଭି ଆଧାରରେ ଚିହ୍ନଟ କରି ସେମାନଙ୍କ ଘରକୁ ଇ- ଚାଲାଣ ପଠାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ବିନା ହେଲମେଟରେ ପିକେଟିଂ କରୁଥିବା ଯୁବକ ମାନଙ୍କ ମଧ୍ୟରୁ ୧ ଶହ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଥାଉକି ଏହା ପୂର୍ବରୁ ଏକ ବିଜେଡି ରାଲିରେ ବି ଏଭଳି ହୋଇଥିଲା । ଯାହାକୁ ଗଣମାଧ୍ୟମରେ ପ୍ରକାଶ କରାଯିବା ପରେ ବିନା ହେଲମେଟରେ ରାଲିରେ ଯୋଗ ଦେଇଥିବା ବାଇକ୍ ଚାଳକ ମାନଙ୍କ ଉପରେ ଜରିମାନା ଲଗାଯାଇଥିଲା । ତେଣୁ ଆଜିର ବନ୍ଦ ପାଳନ ବେଳେ ବିନା ହେଲମେଟରେ ବାଇକ୍ ରାଲି କରୁଥିବା ଯୁବକ ମାନଙ୍କୁ ବି ଜରିମାନା ହେବ ବୋଲି ସୂଚନା ମିଳିଛି । କହିରଖୁ କି ସେ ଆନ୍ଦୋଳନ ହେଉ କି ଅଲଗା ସମୟ । ଘରୁ ବାଇକ ଧରି ବାହାରିଲେ ନିଜ ଜୀବନର ସୁରକ୍ଷା ପାଇଁ ପ୍ରଥମେ ହେଲମେଟ୍ ପିନ୍ଧନ୍ତୁ ଓ ନିଜେ ସୁରକ୍ଷିତ ରହିବ ସହ ଅନ୍ୟମାନଙ୍କର ସୁରକ୍ଷାକୁ ବି ସୁନିଶ୍ଚିନ୍ତ କରନ୍ତୁ ।