ଟଙ୍କା ଲୁଟିବା ପାଇଁ ଡ୍ରାଇଭରର ମିଛ ଡକାୟତି ନାଟକ । ପଢନ୍ତୁ, ଅଭିଯୁକ୍ତକୁ କେମିତି ବାନ୍ଧିଲା ପୋଲିସ…

241

କନକ ବ୍ୟୁରୋ: “ଆଜ୍ଞା… ମୋତେ ମାଡ ମାରି ମୋର ସାର୍ଟ ଚିରି, ମୁଣ୍ଡରେ ବନ୍ଧୁକ ରଖି ଗାଡିରେ ଥିବା ୧ ଲକ୍ଷ ୩୦ ହଜାର ଟଙ୍କା,ମୋବାଇଲ ଫୋନ ଓ ଗାଡିର ଚାବି ନେଇ ଡକାୟତ ମାନେ ପଳେଇଲେ । ଶୀଘ୍ର ସେମାନଙ୍କୁ ଧରନ୍ତୁ”, – ଗତକାଲି ସନ୍ଧ୍ୟାରେ ଖଲ୍ଲିକୋଟ ଥାନାରେ ଏମିତି କିଛି ଅଡ଼ିଯୋଗ କରିଥିଲେ ଜଣେ ବୋଲେରୋ ଡ୍ରାଇଭର ଜ୍ୟୋତି ରଞ୍ଜନ ସାହୁ ।

ଏପରି ଅଭିଯୋଗ ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଅନ୍ୟ ପୋଲିସ କର୍ମଚାରୀ ଡ୍ରାଇଭରକୁ ସାଙ୍ଗରେ ଧରି ଘଟଣା ଘଟିଥିବା ସାନଘାଟିକୁ ଯାଇଥିଲେ । ତେବେ ସେଠାରେ ତଦନ୍ତ କରିବା ସମୟରେ ଡ୍ରାଇଭରର କଥାରେ ତାଳମେଳ ରହୁ ନଥିବାରୁ ପୋଲିସ ସନ୍ଦେହ ହୋଇଥିଲା । ଥାନାକୁ ଆଣି ଜେରା କରିବାରୁ ଡ୍ରାଇଭର ସତ ମାନିଯାଇଥିଲା, ଆଉ ତା କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଟଙ୍କା ପାଇଁ ଡ୍ରାଇଭର ହିଁ ନିଜେ ରଚିଥିଲା ମିଛ ଡକାୟତି ନାଟକ । ଲୋଭର ବଶବର୍ତ୍ତୀ ହୋଇ ମାଲିକର ଲକ୍ଷାଧିକ ଟଙ୍କାକୁ ଆତ୍ମସାତ କରିବା ପାଇଁ କରିଥିଲା ଏମିତି ଚାଲ୍ ।

ତେବେ ସୂଚନା ଅନୁଯାୟୀ, ଖୋର୍ଦ୍ଧା ସଦର ଥାନା ଜଗନ୍ନାଥପୁର ଗ୍ରାମର ପ୍ରତାପ କୁମାର ସାହୁଙ୍କ ବୋଲେରୋ ପିକ ଅପ ଗାଡି ଅଣ୍ଡା ଆଣିବା ପାଇଁ ଛତ୍ରପୁର ନିକଟସ୍ଥ ସୁନ୍ଦରପୁରକୁ ନିୟମିତ ଭାବେ ଯାଉଥିଲା । ଏଥିରେ ଡ୍ରାଇଭର ଥିଲେ ଜ୍ୟୋତି ରଞ୍ଜନ ସାହୁ । ଅଣ୍ଡା କିଣିବା ପାଇଁ ଡ୍ରାଇଭରକୁ ବିଶ୍ୱାସ କରି ତାଙ୍କ ହାତରେ ଲକ୍ଷାଧିକ ଟଙ୍କା ଦେଉଥିଲା ଗାଡି ମାଲିକ ପ୍ରତାପ । ଶେଷରେ ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ସବୁ ବେଳେ ଟଙ୍କା ଦେଖି ଲୋଭ ସମ୍ବରଣ କରିପାରିନଥିଲା । ସାନଘାଟିଠାରେ ଥିବା ଡଳଖାଇ ମନ୍ଦିର ନିକଟରେ ଟଙ୍କା ଓ ମୋବାଇଲକୁ ଲୁଚାଇ ଦେଇ , ନିଜେ ସାର୍ଟ ଚିରି ମିଛ ଡକାୟତି ନାଟକ ରଚନା କରିଥିଲା ।

ଖବର ପାଇ ଗାଡି ମାଲିକ ପ୍ରତାପ କୁମାର ସାହୁ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିବା ପରେ ଡ୍ରାଇଭର ନାମରେ ମାମଲା ରୁଜୁ କରି କୋର୍ଟ ଚାଳନା କରିଛି ଖଲ୍ଲିକୋଟ ପୋଲିସ । ଜବତ କରାଯାଇଥିବା ଟଙ୍କା ଓ ଗାଡି ଚାବି କି ମାଲିକ ପ୍ରତାପ ସାହୁଙ୍କୁ ହସ୍ତାନ୍ତର କରିଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ।