ସାରୁଅ ଜମି କେଳେଙ୍କାରୀ ମାମଲାରେ ମୁହଁ ଖୋଲିଲେ ଡ୍ରାଇଭର ରବି ସେଠୀ । କହିଲେ, ମନା କରିବା ସତ୍ୱେ ତାଙ୍କ ନାଁରେ କିଣାଯାଇଥିଲା ଜମି

200

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ଆସିଲା ଚାଞ୍ଚଲ୍ୟକର ବୟାନ । ଡ୍ରାଇଭର ରବି ସେଠୀ, ଯାହାଙ୍କ ନାଁରେ ଜମି କିଣାଯାଇଛି ଆଜି ସେ କହିଛନ୍ତି, କିପରି ତାଙ୍କ ନାଁରେ ଜମି କିଣା ଯାଇଥିଲା । ତାଙ୍କ ନାଁରେ ଜମି କିଣିବାକୁ ସେ ମନାକରିଥିଲେ ମଧ୍ୟ କିପରି ତାଙ୍କୁ ଧମକାଇ ଏହି କାରବାର କରାଯାଇଥିଲା ସେ କଥା କହିଛନ୍ତି ରବୀନ୍ଦ୍ର । ସାରୁଅ ଜମି ଅନୁସୂଚିତ ଜାତିର ଲୋକଙ୍କର ହୋଇଥିବାରୁ ତାଙ୍କ ନାଁରେ କିଣା ଯାଇଥିଲା ବୋଲି ସେ କହିଛନ୍ତି । ଏଥିସହ ପୁରୀରେ ମଧ୍ୟ ତାଙ୍କ ନାଁରେ ଜମି କିଣାଯାଇଥିବା ଅଭିଯୋଗ ଆଣିଛନ୍ତି ରବୀନ୍ଦ୍ର ।

ଖୋର୍ଦ୍ଧା ସାରୁଅ ଜମି ହେରଫେର ଘଟଣାରେ ଓଡିଶା ଇନଫ୍ରାଟେକର ଜଣଙ୍କ ପରେ ଜଣେ ଅଧିକାରୀ ଗିରଫ ହେବା ପରେ ଏବେ ସାମନାକୁ ଆସିଛି ଡ୍ରାଇଭର ରବି ସେଠୀଙ୍କ ଦୋହଲାଇ ଦେବା ଭଳି ବୟାନ । ଇଏ ହେଉଛନ୍ତି ସେହି ରବି ସେଠୀ, ଯାହାଙ୍କ ନାଁରେ ଜମି କାରବାର ହୋଇଥିଲା ।

ରବି ସେଠୀ କହିଛନ୍ତି, ଓଡିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କ ନାଁରେ ବେଆଇନ୍ ଭାବେ ସାରୁଅ ଜମି କିଣିଛି । ତାଙ୍କ ନାଁରେ ଜମି କିଣିବା ପାଇଁ କମ୍ପାନୀ କର୍ତୃପକ୍ଷ କହିବା ସମୟରେ ସେ ମନା କରିଥିଲେ । କର୍ତୃପକ୍ଷ ତାଙ୍କ ଚାକିରି ଛଡେଇ ନେବାର ଧମକ ଦେଇ ଜମି କିଣିଛନ୍ତି । ଚାକିରି ଚାଲି ଯିବା ଭୟରେ କମ୍ପାନୀ କର୍ତୃପକ୍ଷ ଯେଉଁଠି କହିଲେ ସେଇଠି ସେ ଦସ୍ତଖତ କରିଥିଲେ । ବେଆଇନ୍ ଜମି କିଣିବା ନେଇ ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଥିଲେ ।

୨୦୦୦ ମସିହାରୁ ୨୦୧୭ ଯାଏଁ ରବି ସେଠୀ ଓରଟେଲ୍ରେ ଡ୍ରାଇଭର ଭାବେ କାମ କରୁଥିଲେ । ଯେହେତୁ ସାରୁଅ ଜମି ଅନୂସୁଚିତ ଜାତିର ଲୋକଙ୍କର ତେଣୁ ତାଙ୍କ ନାଁରେ କିଣା ଯାଇଛି । ଏବେ ଏ ସମ୍ପର୍କରେ ବୟାନ ଦେଇ ପୁରୀ ଜିଲ୍ଲାରେ ମଧ୍ୟ ତାଙ୍କ ନାଁରେ ଜମି କିଣାଯାଇଛି ବୋଲି କହିଛନ୍ତି ରବି ସେଠୀ ।

ଅନ୍ୟପକ୍ଷରେ ସାରୁଅ ଜମି ଦୁର୍ନୀତି ମାମଲାରେ ଓଟିଭି ସ୍ପଷ୍ଟୀକରଣ ଦେଇ କହିଥିଲା, ସମସ୍ତ ଅଭିଯୋଗର ଠିକ ଭାବେ ତଦନ୍ତ କରାଯାଉ । ଏବଂ ପୋଲିସ ତାଙ୍କ କର୍ମଚାରୀଙ୍କୁ ଅଯଥାରେ ଟାର୍ଗେଟ ନକରୁ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଭିଡିଓ ଜାରି କରିଥିଲେ ଜାଗି ପଣ୍ଡା ।